Categories: ଜାତୀୟ

ରାହୁଲଙ୍କ ‘ଭାରତ ନ୍ୟାୟ ଯାତ୍ରା’ ଲୋକ ସଭା ନିର୍ବାଚନରେ କଂଗ୍ରେସକୁ ହେବ କି ଫାଇଦା, ସର୍ଭେରେ ଖୁଲାସା

ନୂଆଦିଲ୍ଲୀ,୨୮।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ ପରି ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଜାନୁୟାରୀ ୧୪ରୁ ମଣିପୁରରୁ ମୁମ୍ବାଇ ଅଭିମୁଖେ ବାହାରିବେ। ଏହା ମଧ୍ୟରେ ସେ ୧୪ ରାଜ୍ୟର ୮୫ ଜିଲା ଦେଇ ଯାତ୍ରା କରିବେ। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଜନ ସମର୍ଥନ ହାସଲ ପାଇଁ ଏହାକୁ କଂଗ୍ରେସର ଉଦ୍ୟମ ରୂପେ ଦେଖାଯାଉଛି।

‘ଭାରତ ନ୍ୟାୟ ଯାତ୍ରା’ ଦ୍ୱାରା କଂଗ୍ରେସର ଫାଇଦା ହେବ କି ନାହିଁ ପ୍ରଶ୍ନ ଉଠିଛି। ଏହି ଯାତ୍ରା ଯେଉଁ ସ୍ଥାନ ଦେଇ ଯାଉଛି ସେହି ସ୍ଥାନରୁ ଲୋକ ସଭା ଆସନ କଂଗ୍ରେସକୁ ଯିବ କି? ଏହି ସମସ୍ତ ପ୍ରଶ୍ନ ଉପରେ ଏକ ସର୍ଭେ କରାଯାଇଛି।

ଏହି ସର୍ଭେରେ ପ୍ରଶ୍ନ ପଚରାଯାଇଛି ଯେ ରାହୁଲ ଗାନ୍ଧୀଙ୍କ ‘ଭାରତ ନ୍ୟାୟ ଯାତ୍ରା’ ୨୦୨୪ ଲୋକ ସଭା ନିର୍ବାଚନରେ କଂଗ୍ରେସକୁ ଲାଭ ଦେବ କି? ଏହା ଉପରେ ୩୯ ପ୍ରତିଶତ ଲୋକ ହଁ ଉତ୍ତର ଦେଇଥିବା ବେଳେ ୪୯ ପ୍ରତିଶତ ଲୋକ ନା କହିଛନ୍ତି। ଏହା ବ୍ୟତୀତ ୧୨ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ବର୍ତ୍ତମାନ ଏହି ବିଷୟରେ କିଛି କହିପାରିବେ ନାହିଁ ।

ଜାନୁୟାରୀ ୧୪ରେ ମଣିପୁର ରାଜଧାନୀ ଇମ୍ଫାଲରେ ‘ଭାରତ ନ୍ୟାୟ ଯାତ୍ରା’ର ଶୁଭାରମ୍ଭ ହେବ। ଏହି ଯାତ୍ରା ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ର ଦେଇ ଯିବ।

Share