Categories: ଜାତୀୟ

ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲା: ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ

ଅହମ୍ମଦାବାଦ,୧୮।୨: ଗୁଜରାଟର ଅହମ୍ମଦାବାଦରେ ୨୦୦୮ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଦୋଷୀମାନଙ୍କୁ ଦଣ୍ଡିତ କରାଯାଇଛି। ଏହି ମାମଲାରେ ଶୁକ୍ରବାର ଅହମ୍ମଦାବାଦର ସ୍ବତନ୍ତ୍ର କୋର୍ଟ ୪୯ଜଣଙ୍କ ମଧ୍ୟରୁ ୩୮ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଅବଶିଷ୍ଟ ୧୧ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଏହାସହ କୋର୍ଟ ପୀଡିତଙ୍କୁ ସହାୟତା ଦେବା ଏଂବ ମୃତକଙ୍କ ପରିଜନଙ୍କୁ ୧ ଲକ୍ଷ କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୦୮ ମସିହା, ଜୁଲାଇ ୨୬ରେ ଅହମ୍ମଦାବାଦରେ ବୋମା ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୯୦ ମିନିଟ ମଧ୍ୟରେ ୫୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ମାମଲାର ୧୩ ବର୍ଷର ପରେ ଗତ ସପ୍ତାହରେ ୪୯ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ଅନ୍ୟ ୨୮ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯୁକ୍ତି ଶେଷ କରି ଅଭିଯୁକ୍ତଙ୍କୁ ସର୍ବାଧିକ ଦଣ୍ଡ ଦେବା ପାଇଁ ଦାବି କରିଥିଲେ। ଗତ ବର୍ଷ ସେପ୍ଟେମ୍ବରରେ ୭୭ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟ ଶୁଣାଣି ଶେଷ କରିଥିଲେ। ବିଚାର ଚାଲିଥିବା ୭୮ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସରକାରୀ ସାକ୍ଷୀ ହୋଇଥିଲେ। ଉକ୍ତ ଅଭିଯୁକ୍ତମାନେ ଆତଙ୍କବାଦୀ ସଂଗଠନ ଇଣ୍ଡିଆନ୍‌ ମୁଜାହିଦ୍ଦିନ ସହ ଜଡିତ। ଅଭିଯୋଗ ହୋଇଥିଲା ଯେ ୨୦୦୨ ଗୋଧ୍ରା ଦଙ୍ଗାର ପ୍ରତିଶୋଧ ନେବାକୁ ଇଣ୍ଡିଆନ୍‌ ମୁଜାହିଦ୍ଦିନର ଆତଙ୍କବାଦୀମାନେ ଷଡଯନ୍ତ୍ର କରିଥିଲେ।

Share