ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ, ଭାଜପାରେ ଯୋଗଦେଲେ ଆମ ଆଦମୀ ପାର୍ଟି (AAP) ର ୩ ବିଦ୍ରୋହୀ ବିଧାୟକ

ନୂଆଦିଲ୍ଲୀ,୨।୧୧: ପଞ୍ଜାବରେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ, ଶାସକ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ଆଭ୍ୟନ୍ତରୀଣ କନ୍ଦଳ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ, ଆଜି ସୋମବାର (ନଭେମ୍ବର ୨) ଦିନ ଦିଲ୍ଲୀସ୍ଥିତ ଭାରତୀୟ ଜନତା ପାର୍ଟି (ଭାଜପା) ମୁଖ୍ୟାଳୟରେ ‘ଏଏପି’ର ୩ ବିଦ୍ରୋହୀ ବିଧାୟକ ଭାଜପାରେ ଯୋଗ ଦେଇଛନ୍ତି। ଏହି ୩ ବିଦ୍ରୋହୀ ବିଧାୟକଙ୍କ ଯୋଗଦାନ ଦ୍ୱାରା ପଞ୍ଜାବରେ ଭାଜପା ସୁଦୃଢ଼ ହେବ ବୋଲି ଆଶା କରାଯାଉଛି, ଯାହା ଆଗାମୀ ବିଧାନସଭା ନିର୍ବାଚନରେ ଦଳ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ।
ଭାଜପାରେ ଯୋଗ ଦେଇଥିବା ଆମ ଆଦମୀ ପାର୍ଟିର ତିନି ବିଧାୟକ ହେଲେ କୁନୱାର ବିଜୟ ପ୍ରତାପ ସିଂହ, ହରମୀତ ସିଂହ ପଠାନମାଜରା ଏବଂ ଚେତନ ସିଂହ ଜୌରାମାଜରା। ପଞ୍ଜାବ ଭାଜପା ସଭାପତି କେୱାଲ ସିଂହ ଢିଲ୍ଲୋନ ଏବଂ ଦିଲ୍ଲୀ ଭାଜପା ସଭାପତି ବୀରେନ୍ଦ୍ର ସଚଦେବା ସେମାନଙ୍କୁ ଦଳକୁ ସ୍ବାଗତ କରିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆମ ଆଦମୀ ପାର୍ଟି (ଏଏପି)ର ତିନିଜଣ ବିଧାୟକ ପ୍ରଥମେ ନିଜ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ଏବଂ ପରେ ଭାଜପାରେ ଯୋଗ ଦେଇଥିଲେ। ପଟିଆଲା ଜିଲାର ସାନୌର ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରୁଥିବା ହରମିତ ସିଂହ ଏବଂ ସମାନାର ବିଧାୟକ ଚେତନ ସିଂହ ଜୌରାମାଜରା, ରବିବାର ଅର୍ଥାତ ଗୋଟିଏ ଦିନ ପୂର୍ବରୁ ଆମ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇସାରିଥିଲେ।
ଅନ୍ୟପକ୍ଷରେ, ଅମୃତସର ଉତ୍ତରର ବିଧାୟକ କୁନୱାର ବିଜୟ ପ୍ରତାପ ସିଂହ ସୋମବାର ପଞ୍ଜାବ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ପୂର୍ବତନ ଆଇପିଏସ (IPS) ଅଧିକାରୀ ଜଣକ ବିଧାନସଭା ବାଚସ୍ପତି କୁଲତାର ସିଂହ ସାନ୍ଧୱାନଙ୍କ ନିକଟରେ ନିଜର ଇସ୍ତଫା ପତ୍ର ଦାଖଲ କରିଛନ୍ତି ଏବଂ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ନିଜର ଏହି ନିଷ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି।

Dharitri – Odisha’s No.1, Most Trusted Odia Daily

Share