IPL 2027 ପୂର୍ବରୁ, ମୁମ୍ବାଇ ଇଣ୍ଡିଆନ୍ସ କଲା ବଡ଼ ପରିବର୍ତ୍ତନ, ମାଲିଙ୍ଗାଙ୍କ ସମେତ ୩ ପ୍ରମୁଖ ବ୍ୟକ୍ତିଙ୍କ ସହ ହଠାତ ସମ୍ପର୍କ ଛିନ୍ନ

ନୂଆଦିଲ୍ଲୀ,୨୯।୧୦: IPL 2027 ପୂର୍ବରୁ, ମୁମ୍ବାଇ ଇଣ୍ଡିଆନ୍ସ ନିଜର କୋଚିଂ ଷ୍ଟାଫରେ ପରିବର୍ତ୍ତନ କରିଛି ଏବଂ ତିନିଜଣ କୋଚଙ୍କ ସହ ସମ୍ପର୍କ ବିଚ୍ଛିନ୍ନ କରିଛି। ଏମାନଙ୍କ ମଧ୍ୟରେ ସବୁଠାରୁ ଉଲ୍ଲେଖନୀୟ ନାମ ହେଉଛି ଲସିଥ ମାଲିଙ୍ଗା, ଯିଏ ଦଳର ବୋଲିଂ କୋଚ ଭାବରେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ମୁଖ୍ୟ କୋଚ ମହେଲା ଜୟବର୍ଦ୍ଧନେ ମଧ୍ୟ ଦଳ ଛାଡ଼ିଥିଲେ, ଯାହା ଫଳରେ ଦଳରୁ ବିଦା ହୋଇଥିବା କୋଚଙ୍କ ସଂଖ୍ୟା ମୋଟ ଚାରିରେ ପହଞ୍ଚିଛି।
ମୁମ୍ବାଇ ଇଣ୍ଡିଆନ୍ସ ପାରସ ମାମ୍ବ୍ରେ ଏବଂ କାର୍ଲ ହପକିନ୍ସନଙ୍କ ସହ ମଧ୍ୟ ସମ୍ପର୍କ ବିଚ୍ଛିନ୍ନ କରିଛି। କ୍ରମାଗତ ତିନି ସିଜିନ ଧରି ଦଳର ପ୍ରଦର୍ଶନ ଖରାପ ରହିବା ପରେ ଫ୍ରାଞ୍ଚାଇଜ ଏହି ନିଷ୍ପତ୍ତି ନେଇଛି। ଏହି ପରିବର୍ତ୍ତନଗୁଡ଼ିକ ସହିତ, ଦଳ ନିଜର କୋଚିଂ ଷ୍ଟାଫରେ ମୋଟ ଚାରୋଟି ପରିବର୍ତ୍ତନ କରିଛି। ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ନିଜର ସମ୍ପୂର୍ଣ୍ଣ କୋଚିଂ ଷ୍ଟାଫକୁ ବଦଳାଇ ଦେଇଥିଲା।
ମୁମ୍ବାଇ ଦଳ ଲସିଥ ମାଲିଙ୍ଗାଙ୍କୁ ବୋଲିଂ କୋଚ ପଦରୁ ହଟାଇ ଦେଇଛି। ଖେଳାଳି ଭାବରେ ମୁମ୍ବାଇ ଦଳ ସହ ଜଡ଼ିତ ଥିବା ସମୟରେ ମାଲିଙ୍ଗା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ; ସେ ୨୦୦୯ ରୁ ୨୦୧୯ ପର୍ଯ୍ୟନ୍ତ ଦଳ ପାଇଁ ଯୋଗଦାନ ଦେଇଥିଲେ ଏବଂ ଦଳର ଚାରୋଟି ଚାମ୍ପିୟନଶିପ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ୨୦୨୪ ଆଇପିଏଲ (IPL) ସିଜିନ ପାଇଁ ଦଳର ବୋଲିଂ କୋଚ ଭାବରେ ନିଯୁକ୍ତ କରାଯାଇଥିଲା, କିନ୍ତୁ ତିନି ସିଜିନ ପରେ ବର୍ତ୍ତମାନ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଛି।
ପାରସ ମାମ୍ବ୍ରେ, ଯିଏ ୨୦୨୪ ଟି-୨୦ ବିଶ୍ୱକପ ଜିତିଥିବା ଭାରତୀୟ ଦଳର ବୋଲିଂ କୋଚ ଥିଲେ, ତାଙ୍କୁ ପରେ ମୁମ୍ବାଇ ଦଳର ବୋଲିଂ କୋଚ ଭାବରେ ନିଯୁକ୍ତ କରାଯାଇଥିଲା। ତେବେ, ତିନି ସିଜିନ ପରେ ଫ୍ରାଞ୍ଚାଇଜ ତାଙ୍କୁ ମଧ୍ୟ ଏହି ପଦରୁ ହଟାଇ ଦେଇଛି। ଏହା ସହିତ, ଦଳର ଫିଲ୍ଡିଂ କୋଚ ଭାବରେ କାର୍ଯ୍ୟ କରୁଥିବା କାର୍ଲ ହପକିନସନ ମଧ୍ୟ ଆଉ ଏହି ଦାୟିତ୍ୱରେ ରହିବେ ନାହିଁ।
ଜୟବର୍ଦ୍ଧନେଙ୍କୁ ମୁଖ୍ୟ କୋଚ ପଦରୁ ହଟାଇବା ପରେ, କିରୋନ ପୋଲାର୍ଡଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି। ଏହା ବ୍ୟତୀତ, ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏହି ଫ୍ରାଞ୍ଚାଇଜ ଛାଡ଼ିପାରନ୍ତି ବୋଲି ଖବର ମିଳୁଛି।

Dharitri – Odisha’s No.1 Odia Daily

Share