ଆଗୁଆ ବିଧାନସଭା ବନ୍ଦ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ବର, ୨।୪(ବ୍ୟୁରୋ): ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ୨୧ ଫେବୃୟାରୀରୁ ଆସନ୍ତା ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବା ପାଇଁ କାର୍ଯ୍ୟଦିବସ ନିର୍ଘଣ୍ଟ ହୋଇଥିଲା ା କିନ୍ତୁ ହଠାତ୍‌ ଅଗଣତାନ୍ତ୍ରିକ ଉପାୟରେ ଶୁକ୍ରବାର ଅଧିବେଶନ ବନ୍ଦ କରାଯାଇଛି ା ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟି ସହ ଆଲୋଚନା ନ କରି ରାଜ୍ୟ ସରକାର କାହିଁକି ହଠାତ୍‌ ସ୍ବେଚ୍ଛାଚାରୀଭାବେ ବିଧାନସଭା ଅଧିବେଶନ ବନ୍ଦ କରିଦେଲେ ଏହାର ଉତ୍ତର ରଖନ୍ତୁ ା ଇଏ ପଳାୟନପନ୍ଥୀ ସରକାର ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅନ୍ୟ ବିଧାୟକମାନଙ୍କ ସହ ଯୋଗଦେଇ ଜୟନାରାୟଣ କହିଛନ୍ତି, ବିଧାନସଭାରେ ୭ଟି ବିଲ୍‌ ପାରିତ ହେବାର ଥିଲା। କିନ୍ତୁ ରାଜ୍ୟ ସରକାର ବିଧାନସଭା ଛାଡ଼ି ପଳାଇଲେ। ଓବିସି କମିଶନ ସଂଶୋଧନ ବିଲ୍‌ ୨୦୨୩, ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍‌, ଜମି ଅଧିଗ୍ରହଣ ପୁନର୍ବାସ ଓ ଥଇଥାନ ସଂଶୋଧନ ବିଲ୍‌ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ କାର୍ଯ୍ୟ ପରାମର୍ଶଦାତା କମିଟିରେ ସ୍ଥିରୀକୃତ ହୋଇଥିଲେ ମଧ୍ୟ ସରକାର ତାହାକୁ ପ୍ରତ୍ୟାହାରକରି ବିଧାନସଭାକୁ ବନ୍ଦ କରିଦେଲେ। ରାଜ୍ୟର ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ହତ୍ୟାହେବାର ୬୦ ଦିନ ବିତିଯାଇଥିଲେ ମଧ୍ୟ ହତ୍ୟାର କାରଣ ଓ ଷଡ଼ଯନ୍ତ୍ରକାରୀ କିଏ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁ। ସେହିପରି ଝାରସୁଗୁଡ଼ାରେ ଜଣେ ଛୋଟ ପିଲାକୁ ଅପହରଣ କରାଯାଇ ହତ୍ୟା କରାଯାଇଛି। ଓଡ଼ିଶାରେ ଏକ ନକଲି ସରକାର ଚାଲିଛି। ରତ୍ନଭଣ୍ଡାର ଚାବି, ସାର୍ଟିଫିକେଟ୍‌, ଔଷଧ, ୫-ଟି ବିଭାଗ ସବୁ ନକଲି ବୋଲି ସେ କହିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଯେତେବେଳେ ମୁଖ୍ୟମନ୍ତ୍ରୀ ଆସନ୍ତା ୩ ତାରିଖରେ ଜାପାନ ଯିବେ ବୋଲି ଘୋଷଣା କଲେ ତାହାର ଅର୍ଥ ହେଲା ମହାନଦୀ ଜଳ ବିବାଦ ଆଲୋଚନା ବେଳକୁ ସେ ଅନୁପସ୍ଥିତ ରହିବେ। ଏଇଟା ମଧ୍ୟ ତାଙ୍କୁ ଅଡୁଆରେ ପକାଇ ଥାଆନ୍ତା। ତେଣୁ ବାଧ୍ୟହୋଇ ସେମାନେ ଗୃହକୁ ଏକତରଫା ଭାବେ ନିଷ୍ପତ୍ତି ନେଇ ବନ୍ଦ କରିଦେଲେ। କୌଣସି ବିରୋଧୀ ଦଳ ସେଥିରେ ସହମତି ପ୍ରକାଶ କରିନାହାନ୍ତି।
ଏହାର ଜବାବରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିଧାନସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା। ହେଲେ ସେମାନେ ବିଭିନ୍ନ ସମୟରେ ଗୃହକୁ ବନ୍ଦ କରାଇଦେଇଛନ୍ତି। ସାଧାରଣ ଲୋକମାନଙ୍କ କଥା ଆଲୋଚନା ହେଉ ଏବଂ ତାହାର ସମାଧାନ ହେଉ ବୋଲି ସେମାନଙ୍କର ଆନ୍ତରିକତା ନ ଥିବା କଥା ଜଣାପଡ଼ୁଛି। ସେମାନେ କେବଳ ରାଜନୀତିରେ ବ୍ୟସ୍ତ ରହୁଛନ୍ତି ବୋଲି ପ୍ରଶାନ୍ତ କହିଛନ୍ତି ।