Categories: ଜାତୀୟ

‘କୃଷି ଆଇନ ଚାଷୀଙ୍କୁ ବରବାଦ କରିଦେବ’

ଥିରୁଭାନନ୍ତପୁରମ୍‌, ୨୩ା୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ତାଙ୍କ ନିର୍ବାଚନମଣ୍ଡଳୀ କେରଳର ଓ୍ବାୟନାଡ୍‌ରେ ଟ୍ରାକ୍ଟର ରାଲି କହିଛନ୍ତି। ଏଥିରେ ଶହେରୁ ଊର୍ଦ୍ଧ୍ୱ ଟ୍ରାକ୍ଟର ସହ ଚାଷୀ, ଶ୍ରମିକ ଓ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ। କଂଗ୍ରେସ ବିଧାୟକ ଆଇ. ସି. ବାଲକ୍ରିଷ୍ଣନ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ ରାଲିରେ ଉପସ୍ଥିତ ଥିଲେ। ଏହି ଅବସରରେ ରାହୁଲ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଥିଲେ, ପୂରା ବିଶ୍ୱ ଭାରତୀୟ ଚାଷୀଙ୍କ ସମସ୍ୟା ଦେଖିପାରୁଛି, କିନ୍ତୁ ଦିଲ୍ଲୀରେ ବସିଥିବା ସରକାରଙ୍କୁ ଏହା ଦେଖାଯାଉନାହିଁ। ଏହି ‘କୃଷକ ବିରୋଧୀ ଆଇନ’ ଚାଷୀଙ୍କୁ ସମ୍ପୂର୍ଣ୍ଣ ଭାବେ ବରବାଦ କରିଦେବ। ଦେଶର ୪୦ ପ୍ରତିଶତରୁ ଅଧିକ ଲୋକ ଏହା ଦ୍ୱାରା ପ୍ରଭାବିତ ହେବେ। ତେଣୁ ଏହି ଆଇନ ହଟା ନ ଯିବା ପର୍ଯ୍ୟନ୍ତ କଂଗ୍ରେସ ଲଢ଼େଇ ଜାରି ରଖିବ ବୋଲି ରାହୁଲ କହିଥିଲେ। ଏଥିସହ ୱାୟନାଡ୍‌ ନିର୍ବାଚନମଣ୍ଡଳୀକୁ ବଫର ଜୋନରୁ ହଟାଇବା ପାଇଁ କେନ୍ଦ୍ରକୁ କେରଳ ସରକାର ଚିଠି ଲେଖନ୍ତୁ ବୋଲି ସେ ଦାବି କରିଥିଲେ।

Share