ବିଦ୍ୟାଳୟ ପାଠ୍ୟକ୍ରମରେ କୃଷି

ଡି. ଶୁଭମ୍‌

ଶିକ୍ଷା ମଣିଷକୁ ଅଭେଦ୍ୟ ଭିତରେ ନୂତନତାର ସନ୍ଧାନ ଦିଏ। ଆମକୁ ଜିଜ୍ଞାସୁ ବନାଏ। ଆମ ଭିତରେ ସୃଜନଶୀଳତାର ବିକାଶ କରେ। ଠିକ୍‌ ଆଉ ଭୁଲ୍‌ ଭିତରେ ତାରତମ୍ୟକୁ ଦର୍ଶାଏ। ସମାଜରେ ନିଜକୁ ସଠିକ ଭାବରେ ପ୍ରତିପାଦନ କରିବାର ମାର୍ଗ ବତାଇଥାଏ। ମୋଟ ଉପରେ କହିବାକୁ ଗଲେ ଶିକ୍ଷା ଆମ ଜୀବନ ସୁଧାରିବାରେ ମଙ୍ଗ ଧରେ, ମାର୍ଗଦର୍ଶକ ସାଜେ। ଆମେ ଛୋଟରୁ ବଡ଼ ହେବା ଭିତରେ ଅନେକ ଶିକ୍ଷା ଗ୍ରହଣ କରୁ। ପ୍ରଥମରୁ ପରିବାରରୁ ଶିକ୍ଷା ପାଇବା ପରେ ବିଦ୍ୟାଳୟ, ମହାବିଦ୍ୟାଳୟ ଆଉ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁ। ଶିକ୍ଷାର ଅନ୍ତ ନ ଥାଏ। ଜୀବନରେ ପାଠପଢ଼ାର ଶେଷ ନ ଥାଏ। ମଣିଷ ବଞ୍ଚତ୍ଥିବା ଯାଏଁ ସବୁ ସମୟରେ ଜ୍ଞାନ ଆହରଣ କରୁଥାଏ। ତେବେ ଏ ଶିକ୍ଷା ଆମ ଜୀବନରେ କେତେ ବଡ଼ ଭୂମିକା ନିଭାଉଛି, ତାହା ବିଶ୍ଳେଷଣ କରିବାର ସମୟ ଆସିଛି। ଏକବିଂଶ ଶତାବ୍ଦୀର ପାଦଦେଶରେ ଆଜିର ମନୁଷ୍ୟସମାଜ ସ୍ବାର୍ଥତାର ବଶବର୍ତ୍ତୀ ହୋଇଛି। ନିଜର ଲାଳସାକୁ ଚରିତାର୍ଥ କରିବାକୁ ଅନେକ କିଛି କୁକର୍ମ କରିବାକୁ ପଛାଉ ନାହିଁ। କଥାରେ ଅଛି ‘ଅଳ୍ପବିଦ୍ୟା ଭୟଙ୍କରୀ’। ସତରେ ସେହି ଅଳ୍ପ ବିଦ୍ୟା ଭିତରେ କେବେ ଦିବ୍ୟ ସନ୍ତୋଷକୁ ଦେଖିହୁଏ ନାହିଁ। ନା ଥାଏ ଶ୍ରଦ୍ଧା, ନା ଥାଏ କିଛି ଜାଣିବାର ଅଦମ୍ୟ ଇଚ୍ଛା। ଆଜିର ସମାଜରେ ଶିକ୍ଷାକୁ ଗୁରୁତ୍ୱର ସହ ନିଆଯାଉ ନାହିଁ । ପରୀକ୍ଷାରେ ପାସ୍‌ କରି ଡିଗ୍ରୀ ହାସଲ କରିଦେଲେ ଶିକ୍ଷାର ଅନ୍ତ ଘଟିଲାପରି ମନେହୁଏ।
ଆମେ ବିଦ୍ୟାଳୟରେ ଗଣିତ, ମାତୃଭାଷାଠାରୁ ଆରମ୍ଭ କରି ଇତିହାସ, ଭୂଗୋଳଯାଏ ଅନେକ ବିଷୟ ପଢ଼ୁ। ଏହା ନିଃସନ୍ଦେହ ଯେ ଏସବୁ ଆମ ଭବିଷ୍ୟତରେ ଉପଯୋଗୀ ଭାବରେ ଗ୍ରହଣ କରାଯାଏ। କିନ୍ତୁ ଆଜି ଆମେ ଖାଦ୍ୟ ଖାଇବାର ସ୍ବପ୍ନ ଯାହା ପାଇଁ ଦେଖୁଛେ, ଯାହା ପାଇଁ ଜିଇବାର ସୁନେଲି ସ୍ବପ୍ନ ଦେଖୁଛେ ତାହାକୁ ଭୁଲିଯାଉଛୁ। ଏ ସ୍ବପ୍ନର ନାୟକ ହେଉଛି ଚାଷୀ ଆଉ ଏ ସ୍ବପ୍ନ ହେଉଛି ଚାଷ। ଭାରତ ଆଜି କୃଷି କ୍ଷେତ୍ରରେ ଆଶାତୀତ ବୃଦ୍ଧି କରିଥିବା ବେଳେ ଓଡ଼ିଶାରେ ମଧ୍ୟ କୃଷିର ଭୂମିକା ଅତୁଳନୀୟ। ଆମ ରାଜ୍ୟ ଓଡ଼ିଶା- କୃଷି ଆଉ କୃଷକର ରାଜ୍ୟ। ଚାଷୀ ଆମର ଶ୍ୟାମଳ କ୍ଷେତରେ ସୁନାର ମହକ ବିଞ୍ଚେ। ଉର୍ବର ମାଟିର ରଙ୍ଗିନ୍‌ ଝଲକ ଦେଇ ଚାଷ କ୍ଷେତ୍ରରେ ବେଶ୍‌ ସଫଳତା ପାଇଛି ଓଡ଼ିଶା। କୃଷି କର୍ମଣ ପୁରସ୍କାର ହେଉ ଅବା ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ- ସବୁଥିରେ ଓଡ଼ିଶାର ନାଁ ଆଗରେ ଥାଏ। ଆମେ ଦେଖୁଥିବା ଅନେକ ସଭା ସମିତିରେ ଏ ଚାଷୀ ଭାଇମାନଙ୍କ ଗୁଣଗାନ କରୁ। ଆମ ଦେଶରେ ଚାଷର କଥା ବିଷୟରେ କହୁ। କିନ୍ତୁ ଥରେ ଭାବନ୍ତୁ ଏ ଚାଷ କରିବାକୁ କେତେ ଜଣ ଆଗ୍ରହୀ? କରୋନା ମହାମାରୀ ଆସିବା ପରେ ଯେବେ କିଛିଟା ଦାଦନ ବନ୍ଦ ହୋଇଗଲା, ସେବେ ଲୋକଙ୍କ ମୁଣ୍ଡରେ ଏ ଚାଷ ନିଶା ପଶିଲା। ତେବେ ଏ ଚାଷର କଥା ପିଲାବେଳୁ କ’ଣ ପାଇଁ ଆମେ ଶିଖିବାନି। ଯେବେ ଛୋଟ ପିଲାଟିଏ କିଛି ଭୁଲ୍‌ କରେ, ଘରେ କୁହନ୍ତି ପାଠ ନ ପଢ଼ିଲେ ଆମ ଜମିରେ ଚାଷ କରିବୁ, ନ ହେଲେ ଗାଈ ଚରେଇବୁ। ଏ କଥାକୁ ଶୁଣିଲେ ମନେହୁଏ ସତେ ଯେମିତି ଚାଷ ଏକ ନିମ୍ନସ୍ତରର କାର୍ଯ୍ୟ। ଜଣେ ପାଠପଢ଼ୁଆ ପିଲା କ’ଣ ଚାଷ କରୁନି? ତେବେ ଅଭିଭାବକମାନେ ପିଲାମାନଙ୍କୁ ଛୋଟ ବେଳେ ଚିତ୍ରାଙ୍କନ, ନୃତ୍ୟ, ସଙ୍ଗୀତ, କ୍ରୀଡ଼ା ଆଦିରେ ସ୍ବତନ୍ତ୍ର ଶିକ୍ଷା ଦେଉଥିବା ବେଳେ କେବେ ନିଜ ପିଲାକୁ ନେଇ କ୍ଷେତକୁ ଯିବାର ନଜର ଦେଖିବାକୁ ମିଳେନି। ଯଦିବା ମିଳେ ତାହା କ୍ୱଚିତ୍‌। ଏମିତିକି ବିଦ୍ୟାଳୟଗୁଡ଼ିକରେ ଏହାକୁ ପ୍ରାଥମିକତା ଦିଆଯାଏନି। ଆମେ ବିଦ୍ୟାଳୟରେ ପିଲାଙ୍କୁ ସଂସ୍କାର ଦେଉ। ଚରିତ୍ର ଗଠନ କରିବାର କଥା କହୁ। କିନ୍ତୁ ସେମାନଙ୍କ ଭିତରେ ଦକ୍ଷତା ବିକାଶ କରିବାକୁ ବି ଯୋଜନା ପ୍ରସ୍ତୁତ ହେଉ। କେବଳ ନାଚ, ଗୀତ, ଭାଷଣ, ଚିତ୍ରାଙ୍କନ ନୁହେଁ ବରଂ କୃଷି ଶିକ୍ଷାକୁ ପ୍ରାଥମିକତା ଦିଆଯାଇ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ କରାଯାଉ। ପିଲା ଛୋଟ ବେଳୁ କୃଷି କ’ଣ ଜାଣୁ। ଚାଷ ଜମିକୁ ଯାଉ। ଚାଷୀଙ୍କ ସହ ମିଶୁ। ଚାଷ କରିବାର କୌଶଳ ବି ଜାଣୁ। ଆମ ମାଟି ବି କଥା କହିପାରେ, ସେ ସ୍ବତନ୍ତ୍ରତାକୁ ଅନୁଭବ କରୁ।
ଆମ ରାଜ୍ୟରେ କୃଷିର ଇତିହାସ କଥା କେବଳ ବିଜ୍ଞାପନ କି ଭାଷଣ ନୁହେଁ, ବରଂ ସବୁ ବିଦ୍ୟାଳୟର ପିଲାମାନେ ଜାଣନ୍ତୁ। କୃଷି ଶିକ୍ଷାକୁ ବ୍ୟାପକ କରିବାକୁ ଯୋଜନା ହେଉ। ବିଦ୍ୟାଳୟଗୁଡ଼ିକରେ ସ୍ବତନ୍ତ୍ର କ୍ଲାସର ବ୍ୟବସ୍ଥା ହେଉ; ଯେଉଁଥିରେ ପିଲାମାନଙ୍କୁ ବିଭନ୍ନ ଶସ୍ୟଜାତୀୟ ଫସଲ, ଡାଲିଜାତୀୟ ଫସଲ, ଅର୍ଥକରୀ ଫସଲ ତଥା ଫୁଲ, ଫଳ ଓ ପନିପରିବା ବିଷୟରେ ସମ୍ୟକ୍‌ ଧାରଣା ଦିଆଯାଉ। ସବୁକିଛି ନ ହେଉ ପଛେ ପିଲାମାନେ ଚାଷର କୌଶଳ ବିଷୟରେ ଛୋଟବେଳୁ ଜାଣିବା ଆବଶ୍ୟକ। ପିଲାମାନଙ୍କ ଭିତରେ ଏକ ନୂତନ ସ୍ପୃହା ଜାଗ୍ରତ କରି ସେମାନଙ୍କୁ ସପ୍ତାହରେ ଥରେ ବିଦ୍ୟାଳୟ ନିକଟସ୍ଥ ଚାଷଜମିକୁ ବୁଲାଇବାକୁ ନିଆଯାଉ। ପିଲାଟିଏ ଯେବେ ଧାନ ରୋଇବାକୁ ଆଖି ଆଗରେ ଦେଖିବ, ସେବେ ତା’ ମନ ଭିତରେ ଅଫୁରନ୍ତ ଆନନ୍ଦ ଖେଳିଯିବ। ସେ ଜାଣିପାରିବ ଚାଷର ମହତ୍ତ୍ୱକୁ। ଏପରିକି ଜୈବିକ କୃଷି କରୁଥିବା ଚାଷୀମାନଙ୍କୁ ବିଦ୍ୟାଳୟକୁ ଡାକି ସେମାନଙ୍କ ସହ ପିଲାମାନଙ୍କର ଏକ ମତ ବିନିମୟ କାର୍ଯ୍ୟକ୍ରମର ସୁଯୋଗ ରହୁ। ଚାଷୀ ବି ନିଜ ଜ୍ଞାନ ବାଣ୍ଟିବ ଆଉ ଅପରପଟେ ପିଲାମାନେ ଏହାର କୌଶଳ ଶିଖିବେ। ଏବେ କୃଷି କ୍ଷେତ୍ରରେ ଅନେକ ଜ୍ଞାନ କୌଶଳ ବ୍ୟବହାର କରାଗଲାଣି। ଅନେକ ଉଦ୍ୟୋଗୀ ଚାଷ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଲେଣି। ସେମାନଙ୍କ ଫାର୍ମକୁ ଥରେ ଥରେ ପିଲାମାନଙ୍କୁ ନିଆଯାଉ। ପିଲାଙ୍କୁ ବଣଭୋଜି କାର୍ଯ୍ୟକ୍ରମରେ କୃଷିଫାର୍ମରେ ବୁଲିବାକୁ ସୁଯୋଗ ଦିଆଯାଉ। ପିଲା ଜାଣିବେ ସମନ୍ବିତ କୃଷିର ମହକ। ଗୋଟିଏ ସ୍ଥାନରେ ମାଛ, ଶସ୍ୟ, ଗୋପାଳନ ଓ କୁକୁଡ଼ା ପାଳନକୁ ଦେଖି ପିଲାଙ୍କ ଭିତରେ କୃଷି ପାଇଁ ଆଦର ବଢ଼ିବ। କୃଷିକୁ କଷ୍ଟ ନୁହେଁ, ବରଂ ସାମାଜିକ ଜୀବନଧାରା ସହ ଯୋଡ଼ିବାର ଏକ ପ୍ରୟାସ ଆରମ୍ଭ ହେଉ। ଆଜି ଆମେ ବୁଝିପାରୁଛୁ ଚାଷର ମହାନତା କ’ଣ। ତେବେ ଏସବୁ ଛୋଟ ବେଳୁ ହେଲେ ପିଲା ବଡ଼ ହେଲେ ଚାକିରି କରୁ, କିନ୍ତୁ ଚାଷ ପାଇଁ ଆଦର ନକମୁ।
ଅଭିଭାବକମାନେ ବି ଏ ଦିଗରେ ଯନତ୍ବାନ୍‌ ହେବା ଆବଶ୍ୟକ। ପିଲାଙ୍କ ଭିତରେ ସବୁ ପ୍ରକାର ଦକ୍ଷତାର ବିକାଶ କରାଇବାରେ କେବଳ ବିଦ୍ୟାଳୟ ନୁହେଁ, ବରଂ ମା’ବାପାମାନଙ୍କର ବଡ଼ ଭୂମିକା ରହିଛି। ଯେବେ ପିଲା ନିଜ ଗାଁ ଜମିରେ ଫଳନ୍ତି ବୃକ୍ଷ ଦେଖିବେ, ସେମାନେ ନିଶ୍ଚୟ ପୁନର୍ବାର ସେଠାକୁ ଯିବାକୁ ମନ ବଳାଇବେ। ପିଲାମାନଙ୍କ ଦ୍ୱାରା ବିଦ୍ୟାଳୟରେ କୃଷି ପାଇଁ ସଚେତନା ବୃଦ୍ଧି କରାଯାଉ। ଆମ ରାଜ୍ୟର ଚାଷର ବିବରଣୀକୁ ପିଲାଙ୍କ ପ୍ରଶ୍ନପତ୍ରରେ ସ୍ଥାନ ଦିଆଯାଉ। ପିଲାଙ୍କୁ ପନିପରିବା ହେଉ କି ଫୁଲ ଗଛ ବିଦ୍ୟାଳୟ ହତା ଭିତରେ ଲଗାଇବାର ସୁଯୋଗ ଦିଆଯାଉ। ସେମାନେ ନିଜେ ଖତସାର ଆଉ ପାଣିଦେଇ ଯେବେ ଗଛଟି ବଢ଼ି ଫଳ ଧରିବ, ଦେଖିବେ ସେମାନଙ୍କ ଖୁସି ଆପଣ ନିଜେ ବାରିପାରିବେ। ସରକାରଙ୍କ ଦ୍ୱାରା ଏ ଦିଗରେ ବ୍ୟାପକ କାର୍ଯ୍ୟକ୍ରମ କରାଯିବାକୁ ଯୋଜନା ପ୍ରସ୍ତୁତ ହେଉ।
ନିକଟରେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଏ ଦିଗରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରେଣୀ- ପ୍ରଥମରୁ ପଞ୍ଚମ, ଷଷ୍ଠରୁ ଅଷ୍ଟମ, ନବମ ଓ ଦଶମର ବିଦ୍ୟାଳୟ ପାଠ୍ୟକ୍ରମରେ ଏହାକୁ ସାମିଲ କରାଯାଇଛି। କୃଷିର ଗୁରୁତ୍ୱ, ଉପଯୋଗିତା, ଭବିଷ୍ୟତରେ କୃଷିରେ କ୍ୟାରିଅର କରିବାର ସମସ୍ତ ତଥ୍ୟକୁ ଉପସ୍ଥାପନର ଯୋଜନା କରାଯାଇଛି।
ଆମ ରାଜ୍ୟରେ ବିଦ୍ୟାଳୟ ଶ୍ରେଣୀଗୃହରେ ଏହାକୁ ଅନ୍ତର୍ଭୁକ୍ତ କରାଯାଉ। ପିଲାଙ୍କୁ କେବଳ ବିଦ୍ୟାଳୟ ନୁହେଁ, ଅଭିଭାବକମାନେ ମଧ୍ୟ ଏଥିପାଇଁ ଦୃଷ୍ଟି ଦିଅନ୍ତୁ। ଚାଷର ବିଭିନ୍ନ କାର୍ଯ୍ୟକ୍ରମକୁ ଟିଭିରେ ପିଲାଙ୍କୁ ଦେଖାନ୍ତୁ। ଖବରକାଗଜରେ କୃଷି ପୃଷ୍ଠାକୁ ପିଲାଙ୍କୁ ପଢ଼ାଇବାକୁ ଦିଅନ୍ତୁ। ଚାଷ କେବଳ ଅଫିସର କି ଚାଷୀଙ୍କ ପାଇଁ ନୁହେଁ, ଏହା ସବୁ ବର୍ଗର, ସବୁ ଶ୍ରେଣୀର ଲୋକଙ୍କ ପାଇଁ ଏକ ଅମୃତ ତତ୍ତ୍ୱର ନିଦର୍ଶନ।
କୃଷି ସ୍ନାତକୋତ୍ତର, ମୃତ୍ତିକା ବିଜ୍ଞାନ,
ସୋଆ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri