କୃଷକ ବୈଜ୍ଞାନିକ ସମନ୍ବୟ ରହିଲେ କୃଷି ଉତ୍ପାଦନ ବଢ଼ିବ

ଭଞ୍ଜନଗର,୪।୨(ଡି.ଏନ.ଏ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ୩୧ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଜ୍ଞାନିକମାନଙ୍କ ବିନା ପରାମର୍ଶରେ ଜମିରେ ଆବଶ୍ୟକଠାରୁ ଅଧିକ ରାସାୟନିକ ସାର ପ୍ରୟୋଗ କରାଯାଉଛି। ଏହାଦ୍ୱାରା ଧିରେଧିରେ ଜମିର ଉର୍ବରତା କମିଯାଉଛି । ତେଣୁ ଚାଷୀମାନେ ଜୈବିକ ପଦ୍ଧତିରେ ଚାଷ କରିବାକୁ ପଡ଼ିବ। ବନ ବିଭାଗ ସହଯୋଗରେ ଜଗନ୍ନାଥପ୍ରସାଦ ଅଞ୍ଚଳର ସ୍ବୟଂ ସହାୟିକା ଗୋଷ୍ଠୀମାନେ କୁକୁଡ଼ା ଚାଷ କରି ମାଂସ ଏବଂ ଅଣ୍ଡା ଉତ୍ପାଦନ ବୃଦ୍ଧି କରୁଛନ୍ତି। ସେମାନଙ୍କ ପାଇଁ ଉପଯୁକ୍ତ ବଜାର ସୃଷ୍ଟି କରିବାକୁ ପଡ଼ିବ। ଧାନ ଅମଳ ପରେ ପାଳକୁ ଚାଷୀ ନିଆଁ ଲଗାଇ ଦେବା ଦ୍ୱାରା ପରିବେଶ ପ୍ରଦୂଷିତ ହେଉଛି, ଯାହାର ପ୍ରଭାବ ଜମିରେ ପଡ଼ୁଛି। ଜିଲାରେ କାଗଜ କଳ ସ୍ଥାପନ କରାଗଲେ ଚାଷୀମାନେ ଆଉ ପାଳକୁ ନ ପୋଡ଼ି କାଗଜ କଳକୁ ବିକ୍ରି କରିବେ । ଭଞ୍ଜନଗର ଅଞ୍ଚଳରେ ହାତୀପଲ ଚାଷୀଙ୍କ ଫସଲ କ୍ଷତି କରୁଛନ୍ତି। ହାତୀ ଦାଉରୁ ଫସଲ ରକ୍ଷା ପାଇଁ ମହୁ, ପାଳୁ ଭଳି କିଛି ଚାଷ କରିବାକୁ ପଡ଼ିବ ବୋଲି ବୈଠକରେ ଯୋଗଦେଇ ବକ୍ତାମାନେ ଏପରି ମତବ୍ୟକ୍ତ କରିଥିଲେ।
ଓୟୁଏଟି କୁଳପତିଙ୍କ ପ୍ରତିନିଧି ଡ଼.ସୁମନ୍ତ କୁମାର ମିଶ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ଓୟୁଏଟିର ସଂପ୍ରସାରଣ ନିର୍ଦ୍ଦେଶାଳୟର ଡିଇଇ ଡ଼.ହେମନ୍ତ କୁମାର ସାହୁ ସଭାକୁ ସଂଯୋଜନା କରିଥିଲେ। ଗଞ୍ଜାମ ସିଡିଏଓ ଦିଲୀପ ଖୁଣ୍ଟିଆ, ଓୟୁଏଟିର ଡିନ୍‌ ପ୍ରଫେସର ଏସ୍‌ ନନ୍ଦ, ଜି.ଉଦୟଗିରିର ଆରଆରଟିଏସ୍‌ ଏଡ଼ିଆର ଡ଼. ଜ୍ଞାନଲୋକ ଦାସ, ଭଞ୍ଜନଗର କେଭିକେର ବରିଷ୍ଠ ବୈଜ୍ଞାନିକ ଡ଼.ସୁତନୁ କୁମାର ଶତପଥୀ, ସିପିଆର ବ୍ରହ୍ମପୁରର ଡ଼.ରାଧାକ୍ରିଷ୍ଣା ପାଣିଗ୍ରାହୀ, ନାବାର୍ଡ଼ ଡ଼ିଡ଼ିଏମ୍‌ ଏସ୍‌.ମିଶ୍ର, ଏଡ଼ିଓ ଶଶିଭୂଷଣ ସେନାପତି, ଏଡ଼ିଏଚ୍‌ ଏସ୍‌.ରାମା ରାଓ, ବ୍ରହ୍ମପୁର କେଭିକେର ମୁଖ୍ୟା ଡ଼.ସୁସ୍ମିତା ମହାନ୍ତି, ଡ଼.ସନ୍ତୋଷ କୁମାର ସାମନ୍ତରାୟ, ସିଦ୍ଧାର୍ଥ ରଣବିଜୁଳି, ଡ଼ି.ବିଷ୍ଣୁପଦ ଗିରି, ଭଞ୍ଜନଗର ବ୍ଲକ ସିଡ଼ିପିଓ ବିଷ୍ଣୁପ୍ରିୟା ସେଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ କୋଲକାତା ଆଇସିଆରର ବରିଷ୍ଠ ବୈଜ୍ଞାନିକ ଡ଼.ପି.ପି ପାଲ ଅନଲାଇନ୍‌ ମାଧ୍ୟମରେ ଯୋଗଦେଇ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ବୈଜ୍ଞାନିକ ପ୍ରଶାନ୍ତ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଅନିତା ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ ଅତିଥିମାନେ ବିଭିନ୍ନ ପୁସ୍ତକ, ସ୍ମରଣିକାକୁ ଉନ୍ମୋଚନ କରିଥିଲେ ।