Categories: ଜାତୀୟ

କୃଷକ ଆନ୍ଦୋଳନକୁ ପୂରଣ ହେବ ଏକ ବର୍ଷ, ଏବେ ପାର୍ଟ ୨ ପାଇଁ ପ୍ରସ୍ତୁତି!

ନୂଆଦିଲ୍ଲୀ,୨୫ ।୧୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ କୃଷକମାନେ ଆନ୍ଦୋଳନ କରିବାର ଏକ ବର୍ଷ ପୂରଣ ହେବାକୁ ଯାଉଛି । ନଭେମ୍ବର ୨୬ ଅର୍ଥାତ୍ ଶୁକ୍ରବାର କୃଷକ ଆନ୍ଦୋଳନକୁ ବର୍ଷେ ପୂରଣ ହେବ । ଇତିମଧ୍ୟରେ କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିନେବା କଥା ଘୋଷଣା କରିଛନ୍ତି । ହେଲେ କୃଷକଙ୍କର ଆଉ କିଛି ଦାବି ଥିବାରୁ ଏବେ ଆନ୍ଦୋଳନ ପାର୍ଟ ୨ ପାଇଁ ଏମାନେ ପ୍ରସ୍ତୁତ ହେଉଥିବା ଜଣାପଡିଛି । କୃଷକ ସଙ୍ଗଠନ ଏକାଠି ହୋଇ ଏବେ ରାଜଧାନୀ ମୁହାଁ ହୋଇଛନ୍ତି । ଭାରତୀୟ କୃଷକ ୟୁନିୟନ ନେତା ରାକେଶ ଟିକାଏତ ଟୁଇଟ କରି କହିଛନ୍ତି କୃଷି ଆଇନକୁ ବିରୋଧ କରି କରାଯାଇଥିବା ଆନ୍ଦୋଳନ ଏବେ ଶେଷ ହୋଇନାହିଁ । ଆଗକୁ ରୂପରେଖ କ’ଣ ହେବ ତାହା ୨୭ ନଭେମ୍ବରରେ ସ୍ଥିର ହେବ ବୋଲି ସେ କହିଛନ୍ତି । କେନ୍ଦ୍ର ସରକାର କହିଥିଲେ କୃଷକଙ୍କ ଆୟ ଦ୍ୱିଗୁଣା ହେବ । ହେଲେ କେବେ ଏହା ହେବ ଓ କୃଷକଙ୍କୁ ସେମାନଙ୍କ ଫସଲର ଉଚିତ ମୂଲ୍ୟ କେବେ ମିଳିବ ବୋଲି କୃଷକ ନେତା ପ୍ରଶ୍ନ କରିଛନ୍ତି । ତେଣୁ ଏସବୁକୁ ନେଇ ବିଭିନ୍ନ କୃଷକ ସଙ୍ଗଠନ ଆନ୍ଦୋଳନ ପାର୍ଟ ୨ ପାଇଁ ସଜବାଜ ହେଉଥିବା କୁହାଯାଉଛି ।

Share