ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍ ଦ୍ୱିତୀୟ ସପ୍ତାହରୁ ଖରିଫ୍ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ ପ୍ରଥମ ସପ୍ତାହରେ ଲଘୁଚାପଜନିତ ବର୍ଷା ପରେ ବୁଣାଯାଇଥିବା ଧାନ ବିହନ ପାଣିରେ ବୁଡ଼ି ରହିଲା। ଯେଉଁ ଚାଷୀମାନେ ଢିପଜମିରେ ବିହନ ବୁଣିଥିଲେ ସେମାନେ ପରେ ତଳି ଆଣି ରୁଆପୋତା କରିଥିଲେ। ମାତ୍ର ଅଗଷ୍ଟ ପ୍ରଥମ ସପ୍ତାହର ଲଗାଣ ବର୍ଷା ଏବେ ସତେ ଯେମିତି ସବୁ ଉଜାଡି ଦେଇଛି। ଚାଷଜମିଗୁଡ଼ିକରେ ୫ରୁ ୬ ଫୁଟ ଉଚ୍ଚର ବର୍ଷାଜଳ ଜମି ରହିଛି। ବ୍ଲକ ଅଞ୍ଚଳର ହଜାର ହଜାର ହେକ୍ଟର ଚାଷଜମିରେ ବୁଣା ଓ ରୁଆ ପୋତା ହୋଇଥିବା ଧାନ ଫସଲ ନଷ୍ଟ ହୋଇଛି। ବୁଧବାର କେନ୍ଦ୍ରାପଡ଼ା ଜିଲା ଚାଷୀ ଶ୍ରମିକ ସଂଘ ପକ୍ଷରୁ ଜିଲାପାଳ ରଘୁରାମ ଆର ଆୟାରଙ୍କୁ ଭେଟି ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ଦାବି କରାଯାଇଛି। ସଂଘ ସଭାପତି ପଣ୍ଡିତ ଶରତ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ବ୍ଲକ ଅଧୀନ ଏଣ୍ଡରପାଟ, ନରସିଂହପୁର, ଛଚିଣା, ନୂଆହାଟ, ନୋଳପାଟ, ବିନ୍ଧାପାଟ, କଣ୍ଡାପାଟ, ଚାଟରାପାଟ, ଅଠରପଡ଼ାପାଟ, କାଉପଡ଼ାପାଟ, ଫୋଗଳପାଟ, ମହେଶପୁର ଗହୀର, ଆମ୍ବୁରା, ମନ୍ତ୍ରୀପଡ଼ା ଗହିର, ସେଢ଼ୁଆପଟ, ବାରିମୂଳ ପାଟ ଓ ମଲ୍ଲିକେଶ୍ୱରପୁର ଆଦି ପାଟ ଜମିରେ ରୁଆଯାଇଥିବା ଧାନ ଫସଲ ସହ ତଳିଘେରା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ରହିଥିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ସୃଷ୍ଟି କରିଛନ୍ତି। କେବଳ ଧାନ ଫସଲ ନୁହେଁ, ବ୍ଲକର ବ୍ୟାପକ ଅଞ୍ଚଳରେ ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଭୁଜବଳ, କଂସାରିପାଟଣା, ବେଲରାପୁର, ତରଙ୍ଗା, ନେତୁଆ, ନରସିଂହପୁର, ମୁଣ୍ଡିଲୋ, ଗୋବିନ୍ଦପୁର, ମୁକୁନ୍ଦପୁର, ବାଲିଆ, ବଘାଳୋ, ଛଚିଣା, ଗୁଡ଼ୁଗୁଡ଼ି ଓ କାଉପଡ଼ା ଆଦି ଗ୍ରାମରେ ଏକର ଏକର ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯିବାକୁ ବସିଛି ବୋଲି ସଭାପତି ମିଶ୍ର ଜିଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏହି ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ବିଶେଷ କରି ବ୍ଲକ ଦେଇ ଯାଇଥିବା ୧୬ ନଂ., ୧୯ ନଂ. ଓ ୨୦ ନଂ. ଡ୍ରେନେଜ୍ କଟ୍ରେ ଜଳ ନିଷ୍କାସନ ପଥ ଅବରୋଧ ହୋଇଥିବାରୁ ଉଦ୍ବୃତ୍ତ ବର୍ଷାଜଳ ନିଷ୍କାସନ ହୋଇପାରୁ ନ ଥିବା ନେଇ ଚାଷୀ ସଂଘ ସମ୍ପାଦକ କୃତ୍ତିିବାସ ଦାସ କହିଛନ୍ତି। କେନ୍ଦ୍ରାପଡ଼ା ଡ୍ରେନେଜ୍ ବିଭାଗ କର୍ତ୍ତୃପକ୍ଷଙ୍କ ଉଦାସୀନତା ପାଇଁ ଚଳିତ ବର୍ଷ ବ୍ଲକ ଅଞ୍ଚଳର ଚାଷୀଙ୍କୁ ବହୁ ଦୁଃଖ ଭୋଗିବାକୁ ପଡିଛି ବୋଲି କୃତ୍ତିବାସ କହିଛନ୍ତି। ଏହି ପ୍ରତିନିଧି ଦଳରେ ଅକ୍ଷୟ କୁମାର ତ୍ରିପାଠୀ, ଅନନ୍ତ କିଶୋର ଭୂୟାଁ, କମଳ ମହାନ୍ତି, ମଦନ ମୋହନ ମହାନ୍ତି, ଅଞ୍ଜନ କୁମାର ପଲାଇ ଓ ରଞ୍ଜିତ ସାମଲ ପ୍ରମୁଖ ସଂଘର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ।