କୃଷି ବୀମା ସହାୟତା ଦାବି: ଟିଟିଲାଗଡ଼ରେ ଚାଷୀଙ୍କ ରେଳରୋକୋ

ଟିଟିଲାଗଡ଼,୧୪।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲାର ଚାଷୀଙ୍କୁ ଫସଲ ବୀମା ସହାୟତା ପ୍ରଦାନ ଦାବିରେ ଶୁକ୍ରବାର ଟିଟିଲାଗଡ଼ ରେଳ ଷ୍ଟେଶନଠାରେ ରଳରୋକୋ ଆନ୍ଦୋଳନ ହୋଇଛି। ହଜାର ହଜାର ସଂଖ୍ୟାରେ ଚାଷୀ ସ୍ଥାନୀୟ ହାଇସ୍କୁଲ ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଏପରିକି ଷ୍ଟେଶନରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେତିକିବେଳେ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।
ଏପରିକି ଆନ୍ଦୋଳନରତ ଚାଷୀ ୩ଟି ବ୍ୟାରିକେଡ ଅତିକ୍ରମ କରି ଷ୍ଟେଶନରେ ପହଞ୍ଚି ରେଳରୋକୋ କରିଥିଲେ। ପୂର୍ବ ଚେତାବନୀକୁ ନେଇ ରେଳ ବିଭାଗ ପକ୍ଷରୁ କିଛି ଟ୍ରେନକୁ ବାତିଲ କରାଯାଇଥିଲା। ତେବେ ଷ୍ଟେଶନ ଛାଡିବାକୁ ଥିବା ରାୟପୁର-ବିଶାଖାପାଟଣା ଯାତ୍ରୀବାହୀ ଟ୍ରେନକୁ ଆନ୍ଦୋଳନକାରୀ ଅଟକାଇଥିଲେ। ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଆନ୍ଦୋଳନରେ ଜିଲା କୃଷକ ମହାସଂଘ ସଭାପତି ଯତି ପଧାନଙ୍କ ସମେତ ସଂଘର ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।