ଖୋଲା ରହିବ କୃଷି ଉପକରଣ ଦୋକାନ

ଭୁବନେଶ୍ୱର,୧୧।୬(ବ୍ୟୁରୋ): କୃଷି ଏବଂ କୃଷି ଆନୁଷଙ୍ଗିକ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ସାଧାରଣ ସମୟ ଭଳି ଖୋଲା ରହିବ। ଉଭୟ ଲକ୍‌ଡାଉନ ଏବଂ ଶଟ୍‌ଡାଉନ ସମୟରେ ବିହନ, ସାର, କୃଷି ଉପକରଣ ଏବଂ କୃଷି ଯନ୍ତ୍ରପାତି ଦୋକାନ ସାଧାରଣ ସମୟ ଭଳି ଖୋଲା ରହିବ। ଚାଷୀମାନେ ଚାଷ କାର୍ଯ୍ୟ ସହିତ କୃଷିଜାତ ଦ୍ରବ୍ୟର ବିକ୍ରିବଟା ଏବଂ କୃଷି ଉପକରଣ ପରିବହନ ବିନା ବାଧାବିଘ୍ନରେ କରିପାରିବେ ବୋଲି ରାଜ୍ୟ ରିଲିଫ୍‌ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଖରିଫ୍‌ ଚାଷ କାର୍ଯ୍ୟରେ କୋଭିଡ୍‌ କଟକଣା ଯେପରି ବାଧା ସୃଷ୍ଟି ନ କରେ ସେଥିପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ୍‌ କଟକଣା ପାଇଁ ଚାଷୀମାନେ ଧାନ ବିହନ ସଂଗ୍ରହ କରିବାରେ ଅସୁବିଧା ସୃଷ୍ଟି ହେଉଛି ବୋଲି ଓଡ଼ିଶା ରାଜ୍ୟ ବିହନ ନିଗମ ସରକାରଙ୍କ ଦୃଷ୍ଟିଆକର୍ଷଣ କରିଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଗତବର୍ଷ କୋଭିଡ୍‌ ପାଇଁ ଦେଶ ଏବଂ ରାଜ୍ୟର ସାମଗ୍ରିକ ଉତ୍ପାଦନ ବିଯୁକ୍ତାତ୍ମକ ହୋଇଥିବା ବେଳେ କୃଷି ଏକମାତ୍ର କ୍ଷେତ୍ର ଯାହାର ଯୁକ୍ତାତ୍ମକ ଅଭିବୃଦ୍ଧି ହୋଇଥିଲା। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର କୃଷିକୁ ଗୁରୁତ୍ତ୍ୱ ଦେଉଛନ୍ତି। ସେଥିପାଇଁ ରାଜ୍ୟ ସରକାର ଚଳିତ ଖରିଫ ଋତୁରେ ୫ଲକ୍ଷ ୫୦ ହଜାର ଉନ୍ନତ ମାନର ରୋଗପୋକ ସହଣଶକ୍ତି ଯୁକ୍ତ ପ୍ରାମାଣିକ ଧାନ ବିହନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିସହିତ ରାଜ୍ୟରେ ଦେଖାଦେଉଥିବା ବନ୍ୟା, ବାତ୍ୟା ଏବଂ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିପାରୁଥିବା ଧାନ ବିହନ ମଧ୍ୟ ରିହାତି ଦରରେ ଯୋଗାଇ ଦେଉଛନ୍ତି। ଚଳିତ ବର୍ଷ ୧୦ ବର୍ଷରୁ କମ୍‌ ପ୍ରାମାଣିକ ଧାନ ବିହନର ରିହାତି ମୂଲ୍ୟ କୁଇଣ୍ଟାଲ ପ୍ରତି ୧୯୫୦ ଟଙ୍କା ଏବଂ ଦଶ ବର୍ଷରୁ ଅଧିକ ପ୍ରାମାଣିକ ଧାନ ବିହନର ରିହାତି ମୂଲ୍ୟ ୨୨୮୦ ଟଙ୍କା ସରକାର ଧାର୍ଯ୍ୟ କରିଛନ୍ତି। ଚାଷୀମାନେ ଯେପରି ସୁବିଧାରେ ଧାନ ବିହନ ପାଇପାରିବେ ସେଥିପାଇଁ ସମବାୟ ବିଭାଗ ରାଜ୍ୟର ସମସ୍ତ ପ୍ୟାକ୍ସ ଏବଂ ଲ୍ୟାମ୍ପସ୍‌ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।