କୋପ୍‌-୨୭ରେ ସହମତି, ତୈଳ-ଗ୍ୟାସ କମ୍ପାନୀ ଉପରେ ଲାଗିବ ଟିକସ…

କାଏରୋ,୯।୧୧ : ପୃଥିବୀକୁ ବଞ୍ଚାଇବା ପାଇଁ କଡା କାର୍ଯ୍ୟାନୁଷ୍ଠାନର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ମିଳିତ ଜାତିସଂଘର ଜଳବାୟୁ ସମ୍ମିଳନୀ କୋପ୍‌-୨୭ରେ ଯୋଗଦେଇ ବିଶ୍ୱ ନେତୃବୃନ୍ଦ ଇଜିପ୍ଟର ଉପକୂଳବର୍ତ୍ତୀ ସହରରେ ଏକତ୍ରିତ ହୋଇ ସ୍ପଷ୍ଟ ଭାବରେ କହିଛନ୍ତି ଯେ ବହୁ କ୍ଷତି ହେଲାଣି ବର୍ତ୍ତମାନ ଦୃଢ଼ ପଦକ୍ଷେପ ଗ୍ରହଣ କରିବାର ସମୟ ଆସିଛି। ଗ୍ରୀନ ହାଉସ ଗ୍ୟାସ ଅଙ୍ଗାରକାମ୍ଳ ପାଇଁ ଦାୟୀ ବୃହତ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡିକ ଉପରେ ଟିକସ ବଢ଼ାଯିବା ଜରୁରୀ। ଏନେଇ ଦାବୀ ବଢ଼ିବାରେ ଲାଗିଛି। ଏନେଇ କୋପ୍‌-୨୭ ସମ୍ମିଳନୀରେ ସହମତି ପ୍ରକାଶ ପାଇଛି।

ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ନର୍କର ରାଜପଥରେ ଅଛି ଏବଂ ପାଦ ଏକ୍ସଲେଟର ଉପରେ ରହିଛି। ଏନେଇ ବିଶ୍ୱସ୍ତରରେ ସହଯୋଗ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଗରିବ ଦେଶର ନେତାଙ୍କ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନର ଦାବି ଜୋରଦାର ହେବାରେ ଲାଗିଛି।
ସେମାନେ କହିଛନ୍ତି ଯେ ଯଦିଓ ଜଳବାୟୁ ପରିବର୍ତ୍ତନ ପାଇଁ ସେମାନେ ଦାୟୀ ନୁହଁନ୍ତି, ସେମାନେ ହିଁ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି।

ବ୍ରାଉନ ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ ମଧ୍ୟ ଛୋଟ ଦ୍ୱୀପ ଦେଶମାନଙ୍କ ତରଫରୁ ବୃହତ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡିକ ଉପରେ କାର୍ବନ ଟ୍ୟାକ୍ସ ଆହ୍ବାନ କରିଛନ୍ତି। ସେ କହିଛନ୍ତି ଯେ ଏହି କମ୍ପାନୀଗୁଡିକ ଦିନକୁ ତିନି ବିଲିୟନ ଡଲାରର ଲାଭ କରୁଛନ୍ତି। ବର୍ତ୍ତମାନ ସମୟ ଆସିଛି ଏହି କମ୍ପାନୀଗୁଡିକ ସେମାନଙ୍କର ଲାଭର କିଛି ଅଂଶ କ୍ଷତି ଏବଂ ଆର୍ଥିକ କ୍ଷତି ପାଇଁ ଦେବେ। ସେନେଗାଲର ରାଷ୍ଟ୍ରପତି ମାକି ସାଲ କହିଛନ୍ତି ଯେ ଆମେ ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ କାଟିବା ସପକ୍ଷରେ ଅଛୁ, କିନ୍ତୁ ଆମର ସ୍ବାର୍ଥକୁ ଅଣଦେଖା କରିବା ମୂଲ୍ୟରେ ନୁହେଁ।

Share