ଅଗ୍ନିପଥ ଯୋଜନା ଓ ନିୟମିତ କ୍ୟାଡର ନିଯୁକ୍ତି ରାଲି: କିପରି କରିବେ ପଞ୍ଜିକରଣ ଜାଣନ୍ତୁ …

କଟକ,୧୧ା୩(କାର୍ତ୍ତିକ ସାହୁ): ଭାରତୀୟ ଅଗ୍ନିପଥ ଯୋଜନା ଓ ନିୟମିତ କ୍ୟାଡର ନିଯୁକ୍ତି ରାଲି ଅନ୍‌ଲାଇନ ସାଧାରଣ ପ୍ରବେଶିକା ପରୀକ୍ଷା-୨୦୨୪ ନିମନ୍ତେ ଅନ୍‌ଲାଇନ୍‌ ପଞ୍ଜିକରଣ ଜାରି ରହିଛି।

ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ପଞ୍ଜିକରଣ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। କଟକ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ, ବାଲେଶ୍ୱର, ଖୋର୍ଦ୍ଧା, ଯାଜପୁର, ପୁରୀ ଏବଂ ଭଦ୍ରକ ଜିଲାର ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ।

ପ୍ରାର୍ଥୀମାନେ ଭାରତୀୟ ସେନାର ୱେବସାଇଟ୍‌ www.joinindianarmy.nic.in ମାଧ୍ୟମରେ ନାମ ପଞ୍ଜିକରଣ କରିପାରିବେ। ପ୍ରାର୍ଥୀମାନଙ୍କୁ କମ୍ପ୍ୟୁଟର ଆଧାରିତ ଅନ୍‌ଲାଇନ୍‌ ସାଧାରଣ ପ୍ରବେଶିକା ପରୀକ୍ଷା ଦେବାକୁ ହେବ। ଆବେଦନକାରୀ ୨୫୦ ଟଙ୍କା ପରୀକ୍ଷା ଫି ଦାଖଲ କରିବେ। ଆଗାମୀ ଏପ୍ରିଲ ୨୨ ପରେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏହି ଅନ୍‌ଲାଇନ୍‌ ପରୀକ୍ଷା ଅନୁଷ୍ଠିତ ହେବ।

ଆବେଦନକାରୀମାନଙ୍କୁ ଅନଲାଇନ୍‌ ସାଧାରଣ ପ୍ରବେଶିକା ପରୀକ୍ଷା ସହ ପରିଚିତ କରାଇବା ପାଇଁ ୱେବସାଇଟ୍‌ରେ ଏକ ଅଭ୍ୟାସ ପରୀକ୍ଷା ଉପଲବ୍‌ଧ ରହିଛି। ପଞ୍ଜିକରଣ ସମ୍ବନ୍ଧିତ କୌଣସି ଅନୁସନ୍ଧାନ ନିମନ୍ତେ ପ୍ରାର୍ଥୀମାନେ କଟକସ୍ଥିତ ଆର୍ମି ନିଯୁକ୍ତି କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି।