Categories: ଜାତୀୟ

ଜୁଲାଇ ୧୫ରେ ଅଗ୍ନିପଥ ଯୋଜନାର ଶୁଣାଣି…

ନୂଆଦିଲ୍ଲୀ, ୧୩।୭ : ସେନାରେ ନିଯୁକ୍ତି ପାଇଁ ନୂତନ ଅଗ୍ନିପଥ ଯୋଜନା ବିରୋଧରେ ଦାଖଲ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ତାରିଖ ସ୍ଥିର କରିଛନ୍ତି। ଜୁଲାଇ ୧୫ ଏହି ଆବେଦନଗୁଡ଼ିକର ଶୁଣାଣି କରିବାକୁ କୋର୍ଟ ନିଷ୍ପତ୍ତି ନେଇଛନ୍ତି।

ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଏଏସ୍‌. ବୋପନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଏହି ନିଯୁକ୍ତି ଯୋଜନା ବିରୋଧରେ ଅନେକ ପିଟିଶନ ଦାଖଲ କରାଯାଇଛି। ସେଥିମଧ୍ୟରୁ କେତେକ ଏହାର ବିଜ୍ଞପ୍ତି ରଦ୍ଦ କରିବାକୁ ଦାଖଲ ହୋଇଛି। ଏଥି ସହିତ, ଏକ ଆବେଦନପତ୍ରରେ, ଏହି ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ଏକ ପ୍ୟାନେଲ ଗଠନ କରାଯାଇ ଏହାର ମତାମତ ନେବାକୁ ଦାବି କରାଯାଇଛି।

ଗତ ମାସରେ ଦେଶର ବିଭିନ୍ନ ସ୍ଥାନରେ ଏହି ଯୋଜନାକୁ ତୀବ୍ର ବିରୋଧ କରାଯାଇଥିଲା।ବିଶେଷକରି ଉତ୍ତରପ୍ରଦେଶ, ବିହାର, ହରିୟାଣା, ରାଜସ୍ଥାନ ଏବଂ ତେଲେଙ୍ଗାନା ଭଳି ରାଜ୍ୟରେ ହିଂସାତ୍ମକ ପ୍ରଦର୍ଶନ କରାଯାଇଥିଲା।

ଜୁଲାଇ ୫ ରେ ମଧ୍ୟ ଅଗ୍ନିପଥ ଯୋଜନା ବିରୋଧରେ ଆଉ ଏକ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ଏହି ଆବେଦନ ପୂର୍ବତନ ସୈନିକ ରବିନ୍ଦ୍ର ସିଂ ଶେଖାୱତଙ୍କ ଦ୍ୱାରା ଦାଖଲ କରାଯାଇଛି। ସେ ତାଙ୍କ ଆବେଦନରେ କହିଛନ୍ତି ଯେ ଅଗ୍ନିପଥ ଯୋଜନା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ବିଜ୍ଞପ୍ତି ବେଆଇନ, ଅସାମ୍ବିଧାନିକ। ଏହା ବ୍ୟତୀତ ଏହା ସମ୍ବିଧାନରେ ଦିଆଯାଇଥିବା ଅଧିକାରକୁ ମଧ୍ୟ ଉଲ୍ଲଂଘନ କରୁଛି। ବିଶେଷକରି ସେହି ପ୍ରାର୍ଥୀମାନଙ୍କ ବିଷୟରେ ଏହି ଆବେଦନରେ ପ୍ରଶ୍ନ ଉଠିଥିଲା, ଯେଉଁମାନେ ପୂର୍ବରୁ ଚାଲିଥିବା ନିଯୁକ୍ତି ଯୋଜନାରେ ଅଂଶ ଗ୍ରହଣ କରିଥିଲେ ଏବଂ ସେମାନଙ୍କୁ ବର୍ତ୍ତମାନ ଏଥିରେ ପୁନର୍ବାର ଆବେଦନ କରିବାକୁ ପଡିବ। ଶେଖାଓ୍ବତ ତାଙ୍କ ଆବେଦନରେ କହିଥିଲେ ଯେ ଏହି ନୂତନ ନିଯୁକ୍ତି ଯୋଜନା ସହିତ ଗତ କିଛି ବର୍ଷ ଧରି ପ୍ରସ୍ତୁତ ହେଉଥିବା ପ୍ରାର୍ଥୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି। ଗୋଟିଏ ପଟେ ସେମାନେ କରୋନା କାରଣରୁ ନିଯୁକ୍ତି ରାଲିରେ ଯୋଗଦେଇ ପାରି ନଥିଲେ। ବର୍ତ୍ତମାନ ଏହି ଯୋଜନା ସେମାନଙ୍କୁ ବଡ଼ ଧକ୍କା ଦେଇଛି।

ଆବେଦନରେ କୁହାଯାଇଛି ଯେ ପୁରାତନ ନିଯୁକ୍ତି ଯୋଜନାରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀଙ୍କୁ ବର୍ତ୍ତମାନ ନୂତନ ଭାବେ ପ୍ରସ୍ତୁତି କରିବାକୁ ପଡ଼ିବ। ଏହା କରିବା ଭୁଲ କାରଣ ସେମାନେ ଏକ ନିଯୁକ୍ତି ପ୍ରକ୍ରିୟାକୁ ଅଧାରେ ଛାଡ଼ି ନୂତନ ନିଯୁକ୍ତି ପ୍ରକ୍ରିୟାରେ କିପରି ସାମିଲ ହେବେ। ଏହାଦ୍ୱାରା ଛାତ୍ରୀଛାତ୍ରଙ୍କ ସମୟ ନଷ୍ଟ ହୋଇଥିବାବେଳେ ଅନ୍ୟ ପଟେ ସେମାନଙ୍କୁ ନୂତନ ନିଯୁକ୍ତିରେ କୌଣସି ପ୍ରାଥମିକତା ଦିଆଯାଇ ନାହିଁ।

Share