ଅଗ୍ନିବୀରଙ୍କ ପାଇଁ ବଡ଼ ଖୁସି ଖବର: ବିବାହ ନିୟମରେ ହେବ ବଡ଼ ପରିବର୍ତ୍ତନ! ଜାଣନ୍ତୁ କ’ଣ କହୁଛି ନୂଆ ନିୟମ

ନୂଆଦିଲ୍ଲୀ, ୧୩।୧୧: ଦେଶର ସେନାବାହିନୀରେ ନିଯୁକ୍ତି ସହ ଜଡ଼ିତ ଅଗ୍ନିପଥ ଯୋଜନା (Agnipath Scheme)ରେ ବଡ଼ ଏବଂ ସକାରାତ୍ମକ ପରିବର୍ତ୍ତନ ହେବାର ସଙ୍କେତ ମିଳିଛି। ସରକାର ‘ଅଗ୍ନିପଥ ୨.୦’ ଅଧୀନରେ ଏହି ଯୋଜନାକୁ ଆହୁରି ବ୍ୟବହାରିକ କରିବାକୁ ବିଚାର କରୁଛନ୍ତି। ନିକଟରେ କେନ୍ଦ୍ର ସରକାର ୪ ବର୍ଷର ସେବା ପୂରଣ କରୁଥିବା ୭୫% ଅଗ୍ନିବୀରଙ୍କୁ ଆଉ ୨ ବର୍ଷର ଅତିରିକ୍ତ କାର୍ଯ୍ୟକାଳ (Extension) ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏବେ ଏହି ଦିଗରେ ଆଉ ଏକ ପଦକ୍ଷେପ ନେଇ ଅଗ୍ନିବୀରଙ୍କୁ ବିବାହ ଅନୁମତି ଦେବା ସହ ଏକ୍ସଟେନ୍ସନ ପ୍ରକ୍ରିୟାକୁ ସରଳ କରିବା ପାଇଁ ପ୍ରସ୍ତୁତି ଚାଲିଛି।

ବର୍ତ୍ତମାନର ନିୟମ ଅନୁଯାୟୀ, ଅଗ୍ନିପଥ ଯୋଜନା ମାଧ୍ୟମରେ ନିଯୁକ୍ତି ପାଉଥିବା ଯୁବକମାନଙ୍କୁ ପ୍ରାରମ୍ଭିକ ୪ ବର୍ଷର ସେବା ସମୟରେ ଅବିବାହିତ ରହିବା ବାଧ୍ୟତାମୂଳକ। କିନ୍ତୁ ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟର ଡିପାର୍ଟମେଣ୍ଟ ଅଫ ମିଲିଟାରୀ ଆଫେୟାର୍ସ (DMA)ରେ ଏହି ବିଷୟରେ ବିଚାରବିମର୍ଶ ଚାଲିଛି ଯେ, ୪ ବର୍ଷର କାର୍ଯ୍ୟକାଳ ପୂରଣ କରିବା ପରେ ଯେଉଁ ଅଗ୍ନିବୀରମାନେ ଆଉ ୨ ବର୍ଷର ଏକ୍ସଟେନନରେ ରହିବେ, ସେମାନଙ୍କୁ ବିବାହ କରିବାକୁ ଅନୁମତି ଦିଆଯାଇପାରେ।

କେବଳ ସେତିକି ନୁହେଁ, ବିବାହିତ ଅଗ୍ନିବୀରଙ୍କୁ ଡ୍ୟୁଟି ଥିବା ସ୍ଥାନରେ ହିଁ ପରିବାର ପାଇଁ କ୍ୱାର୍ଟର୍ସ ଆବଣ୍ଟନ କରିବା ଯୋଜନା ଉପରେ ମଧ୍ୟ କାମ ଚାଲିଛି। ତେବେ ଏହି ପ୍ରସ୍ତାବ ଉପରେ ଏପର୍ଯ୍ୟନ୍ତ ସରକାରୀ ଭାବେ ମୋହର ବାଜିନାହିଁ।

୪ ବର୍ଷର ସେବା ପୂରଣ ହେବା ପରେ ଅଗ୍ନିବୀରମାନଙ୍କୁ ନିଜର ଭବିଷ୍ୟତ ପଥ ବାଛିବା ପାଇଁ ସେନାର ସ୍ବତନ୍ତ୍ର ସଫ୍ଟୱେର୍‌ ‘ଅଗ୍ନିପଥ ଆଡମିନିଷ୍ଟ୍ରେସନ ଆଣ୍ଡ ନେଟୱର୍କିଂ’ (ASAAN App) ବ୍ୟବହାର କରିବାକୁ ପଡ଼ିବ। ଏହି ଆପ ମାଧ୍ୟମରେ ଯବାନମାନେ ନିଜର ସହମତି କିମ୍ବା ଅସହମତି ଜଣାଇବା ପାଇଁ ୪ଟି ବିକଳ୍ପ ପାଇବେ।

ପ୍ରଥମ ବିକଳ୍ପ: କେବଳ ସ୍ଥାୟୀ କ୍ୟାଡର୍‌ (Permanent Cadre)ରେ ନିଯୁକ୍ତି ପାଇଁ ସହମତି ଜଣାଇବା।

ଦ୍ୱିତୀୟ ବିକଳ୍ପ: ସ୍ଥାୟୀ କ୍ୟାଡର୍‌ ପାଇଁ ସହମତି ଜଣାଇବା। ଯଦି ୨୫% ସ୍ଥାୟୀ ନିଯୁକ୍ତି ପାଇବାକୁ ଥିବା ଯୁବକଙ୍କ ତାଲିକାରେ ଚୟନ ନହୁଏ, ତେବେ ୨ ବର୍ଷର ଏକ୍ସଟେନ୍ସନ ପାଇଁ ମଧ୍ୟ ସହମତି ଦେବା।

ତୃତୀୟ ବିକଳ୍ପ: ୪ ବର୍ଷର ସେବା ପରେ କେବଳ ୨ ବର୍ଷର ଏକ୍ସଟେନ୍ସନ ପାଇଁ ସହମତି ଜଣାଇବା।

ଚତୁର୍ଥ ବିକଳ୍ପ: ସେନାରେ ଆଉ ସେବା ଜାରି ରଖିବାକୁ ସମ୍ପୂର୍ଣ୍ଣ ଅସହମତି ଜଣାଇବା। ଅର୍ଥାତ୍‌ ଚାକିରି ଛାଡ଼ିବା।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏକ୍ସଟେନ୍ସନର ନିୟମ ଓ ସର୍ତ୍ତ ନିର୍ଦ୍ଧାରଣ କରିବାର ଦାୟିତ୍ୱ ଡିପାର୍ଟମେଣ୍ଟ ଅଫ ମିଲିଟାରୀ ଆଫେୟାର୍ସ ପକ୍ଷରୁ ତିନି ସେନାବାହିନୀ ଯଥା ସ୍ଥଳସେନା, ବାୟୁସେନା ଓ ନୌସେନା ଉପରେ ଛାଡ଼ି ଦିଆଯାଇଛି।

ବାୟୁସେନା (Air Force): ପୂର୍ବରୁ ରହିଥିବା ମାର୍କିଂ ଓ ମୂଲ୍ୟାଙ୍କନ ପ୍ରକ୍ରିୟା ଆଧାରରେ ଅଗ୍ନିବୀରଙ୍କୁ ଏକ୍ସଟେନ୍ସନ ଦେବାକୁ ବିଚାର କରୁଛି।

ସ୍ଥଳସେନା (Army): ଶୃଙ୍ଖଳିତ, ଉତ୍କୃଷ୍ଟ ପ୍ରଦର୍ଶନ କରୁଥିବା ଏବଂ ସମ୍ପୂର୍ଣ୍ଣ ଫିଟ ଥିବା ଅଗ୍ନିବୀରଙ୍କୁ ମୋଟ ୬ ବର୍ଷର ସେବା (୪ ବର୍ଷ + ୨ ବର୍ଷ ଏକ୍ସଟେନ୍ସନ) ପରେ ସ୍ଥାୟୀ ନିଯୁକ୍ତି ଦେବାକୁ ଯୋଜନା କରୁଛି। କାରଣ ଏହି ପ୍ରକ୍ରିୟାରେ ପଦବୀ ସଂଖ୍ୟା ଉପରେ କୌଣସି ସୀମା ବା କ୍ୟାପିଂ (Capping) ରହିବ ନାହିଁ।

Dharitri – Odisha’s No.1 Odia Daily

Share