ରାସ୍ତା ନିର୍ମାଣ ଦାବିରେ ତେଜିଲା ଆନ୍ଦୋଳନ

ଦିଗପହଣ୍ଡି,୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ଖୋଲଡି ଗାଁ ରାସ୍ତା ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବନ୍ୟା ପାଣିରେ ସମ୍ପୂର୍ଣ ଧୋଇ ଯାଇଛି। ଫଳରେ ଗତ ୪ ଦିନ ହେଲା ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ରହୁଥିବା ବେଳେ ବିଦ୍ୟୁତ ବିଚ୍ଛିନ୍ନ ଯୋଗୁ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡିଛି। ଏନେଇ ଲୋକଙ୍କୁ ପିଇବା ପାଣି ମିଳିପାରୁ ନାହିଁ। ଏପରିକି ଗାଁର ସ୍ଥିତି ଦେଖିବାକୁ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି।

ବନ୍ୟା ପ୍ରଭାବିତ ଲୋକଙ୍କୁ ରବିବାର ସୁଦ୍ଧା କୌଣସି ରିଲିଫ ଦିଆଯାଇ ନଥିବା ପ୍ରତିବାଦରେ ଖୋଲଡ଼ି ଗ୍ରାମର ବହୁସଂଖ୍ୟକ ବ୍ୟକ୍ତି ଦିଗପହଣ୍ଡି ଥାନା ଅଧୀନ ମଳାଭଞ୍ଜା ଗ୍ରାମ ନିକଟରେ ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ।

ଆନ୍ଦୋଳନକାରୀ ରାସ୍ତାରେ ଟାୟାର ଜାଳି ବାଇକ୍‌କୁ ମଧ୍ୟ ଛାଡି ନ ଥିଲେ। ରାସ୍ତା ଅବରୋଧ ଯୋଗୁ ବ୍ରହ୍ମପୁରଠାରୁ ଭାୟା ଦିଗପହଣ୍ଡି ଦେଇ ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ମାଲକାନାଗିରି ସମେତ ପଡୋଶୀ ମଧ୍ୟପ୍ରଦେଶ, ଛତିଶଗଡ଼କୁ ଗାଡ଼ି ମଟର ଚଳାଚଳ ବନ୍ଦ ରହିଥିଲା।

ରାସ୍ତାର ଉଭୟ କଡରେ ଶହଶହ ସଂଖ୍ୟାରେ ଗାଡ଼ି ମଟର ଅଟକି ରହିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସ ପହଞ୍ଚି ଉତ୍ତେଜିତ ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ପରେ ଅପରାହ୍ନ ପ୍ରାୟ ୩ ଟାରେ ରାସ୍ତା ଅବରୋଧ ହଟିଥିଲା।

ଖୋଲଡି ଗ୍ରାମ ଦେଇ ସିଙ୍ଗପୁର ପଞ୍ଚାୟତ ହରିଣା ଗ୍ରାମକୁ ଯାଇଥିବା ଉଚ୍ଚ କ୍ଷମତା ସମ୍ପର୍ନ୍ନ ବିଦ୍ୟୁତ ତାର ଯୋଗୁଁ ଗ୍ରାମବାସୀ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।ଗ୍ରାମରେ ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ହେଉଛି। ଫଳରେ ବିଦ୍ୟୁତ୍‌ ତାରକୁ ଗ୍ରାମରୁ ହଟାଇବା ପାଇଁ ଗ୍ରାମବାସୀ ପୂର୍ବରୁ ବିଭାଗୀୟ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାଁନ୍ତି।

ଶନିବାର ରାତି ପ୍ରାୟ ୧୧ଟାରେ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟରେ ଥିବା ଖବର ପାଇ ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ବିଳମ୍ବିତ ରାତିରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଗ୍ରାମର ସେମାନଙ୍କ ଗ୍ରାମର ପ୍ରମୁଖ ସମସ୍ୟା ନେଇ ଉପସ୍ଥିତ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଜରିଆରେ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ସକାଳେ ବ୍ଲକ ପ୍ରଶାସନିକ ଅଧିକାରୀ ବୃନ୍ଦ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ବିଡ଼ିଓ ପ୍ରତିଶ୍ରୁତି ଦେଇଥିଲେ। ରବିବାର ମଧ୍ୟାହ୍ନ ସୁଦ୍ଧା ଗ୍ରାମରେ କୌଣସି ଅଧିକାରୀ ପହଞ୍ଚି ନ ଥିବା ପ୍ରତିବାଦରେ ରାସ୍ତା ଅବରୋଧ କରାଯାଇଥିଲା ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ।

Share