ପିଡିଏସ୍‌ ଚାଉଳ ବଣ୍ଟନ ସମୟରେ ଉତ୍ତେଜନା

ଅମରପାଲ,୨୫।୬(ପୀତାମ୍ବର ସାହୁ)ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସୁବଳୟା ଗ୍ରାମ ପଞ୍ଚାୟତରେ ଶନିବାର ପିଡିଏସ ଚାଉଳ ବଣ୍ଟନ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା। ପିଡିଏସ ଚାଉଳ ସରିଯାଇଥିବା କହି ବଣ୍ଟନ ବନ୍ଦ କରିବାରୁ ପଞ୍ଚାୟତ ପରିସରରେ ଦେଖାଦେଇଥିଲା ଉତ୍ତେଜନା। ଖବରପାଇ ସୁବଳୟା ପୋଲିସ ପହଞ୍ଚତ୍ ଘଟଣାରେ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ସୁବଳୟା ପଞ୍ଚାୟତରେ ଗତ ୩ ମାସର ପିଡିଏସ ଚାଉଳ କୌଣସି ହିତାଧିକାରୀଙ୍କୁ ବଣ୍ଟନ କରାଯାଇ ନ ଥିବା ବେଳେ ଯୋଗାଣ ସହାୟକ ଭରତ ଖମାରୀ ସମସ୍ତ ହିତାଧିକାରୀଙ୍କ ବାୟୋମେଟ୍ରିକ ନେଇଥିଲେ। କୌଣସି ହିତାଧିକାରୀ ପଞ୍ଚାୟତରୁ ଉକ୍ତ ତିନିମାସର ପିଡିଏସ ଚାଉଳ ନେଇ ନ ଥିଲେ । ଏ ନେଇ ହିତାଧିକାରୀମାନେ ଅଭିଯୋଗ କରିବାରୁ ଯୋଗାଣ ସହାୟକ ଜଣକ ଗତ ୨ ଦିନ ହେଲା ଲଗାତାର ଭାବେ ସେହି ତିନିମାସର ଚାଉଳକୁ ତରବର ଭାବେ ବଣ୍ଟନ କରୁଥିଲେ। କେତେଜଣ ହିତାଧିକାରୀ ପିଡିଏସ ଚାଉଳ ନେଇ ସାରିଥିବା ବେଳେ ଅନ୍ୟ କେତେଜଣ ହିତାଧିକାରୀ ଙ୍କୁ ଦେବା ପାଇଁ ଚାଉଳ ପଞ୍ଚାୟତକୁ ଆସିନାହିଁ କହି ଫେରାଇ ଦେଉଥିବାରୁ ହିତାଧିକାରୀମାନେ ଉତ୍ତେଜିତ ହୋଇଥିଲେ। ସେମାନେ ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ହୋ ହାଲ୍ଲା କରିଥିଲେ। ସେହି ସମୟରେ କେତେଜଣ ବ୍ୟକ୍ତି ହିତାଧିକାରୀମାନଙ୍କୁ ଧକ୍କା ମାରିବାରୁ ଉତ୍ତେଜନା ଦେଖା ଦେଇଥିଲା। ଫଳରେ ପୋଲିସର ସହାୟତା ନିଆଯାଇଥିଲା। ସେହି ସମୟରେ କୌଣସି କାମରେ ଯାଇଥିବା ବ୍ଲକ ଉପାଧକ୍ଷ ନାରାୟଣ ଲୁହା ପହଞ୍ଚି ଲୋକଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ସୁବଳୟା ପୋଲିସ ଉତ୍ତେଜନା ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଥାନାକୁ ନେଇଯିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପରେ ବ୍ଲକ ଉପାଧ୍ୟକ୍ଷଙ୍କ ଉପସ୍ଥିତିରେ ଲୋକଙ୍କୁ ଚାଉଳ ବଣ୍ଟନ କରାଯାଇଥିଲା। ତେବେ ପିଡିଏସ ଚାଉଳ ବଣ୍ଟନ ନ କରି ବାୟୋମେଟ୍ରିକ ନେବା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି। ଏନେଇ ସୁବଳୟା ଯୋଗାଣ ସହାୟକ ଖମାରୀଙ୍କୁ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନାହିଁ। ଏ ନେଇ ଯୋଗାଣ ନିରୀକ୍ଷକ ପିଙ୍କୁ ଭୋଇଙ୍କୁ ପଚାରିବାରୁ ଯୋଗାଣ ସହାୟକଙ୍କ ଭାଇଙ୍କ ମୃତ୍ୟୁ ହୋଇଯାଇଥିବାରୁ ସେ ଚାଉଳ ବଣ୍ଟନ କରି ନ ଥିଲେ। ଦୁଇଦିନ ହେଲା ସେହି ପିଡିଏସ ଚାଉଳ ବଣ୍ଟନ କରାଯାଉ ଥିବା ପ୍ରକାଶ କରିଥିଲେ।