ବାସହରା ବନ୍ୟଜନ୍ତୁ ଜନବସତିମୁହାଁ

କେନ୍ଦୁଝର,୫।୩ (ସ୍ବ.ପ୍ର.): ଏକଦା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା କେନ୍ଦୁଝରର ବଣପାହାଡ଼ ଏବେ ଗଛଶୂନ୍ୟ ହୋଇପଡିଛି। ଫଳରେ ବନ୍ୟଜନ୍ତୁଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ପଦା ହେବାକୁ ବସିଥିବାରୁ ବନ୍ୟଜନ୍ତୁ ଏବେ ବାସହରା ହୋଇ ଜନବସତିମୁହଁା ହେଉଛନ୍ତି। ଜଙ୍ଗଲରେ ଖାଦ୍ୟାଭାବ ଯୋଗୁ ହାତୀପଲ ସହରମୁହଁା ହେଉଥିବାରୁ ମଣିଷ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ତିକ୍ତତା ବଢ଼ିବା ସହ ଅନେକ ସମୟରେ ଧନଜୀବନ ନଷ୍ଟ ହେଉଛି। ଗତ ୨୫ ବର୍ଷ ମଧ୍ୟରେ ଜିଲାରେ ବହୁ ସଂଖ୍ୟାରେ ହାତୀ, ବାଘ, ଭାଲୁ, ହରିଣ, ବାର୍‌ହା, କୁଟୁରା, ବିଲୁଆ, ଶିଆଳ, ହେଟାବାଘ, ଝିଙ୍କ, ଅଜଗର, ମାଙ୍କଡ଼ ସମେତ ଅନ୍ୟାନ ସରୀସୃପ ତଥା ପକ୍ଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ବହୁ ବନ୍ୟଜନ୍ତୁ ଶିକାରୀଙ୍କ ଦ୍ୱାରା ମାଂସ, ଚମଡ଼ା, ହାଡ଼, ଶିଙ୍ଗ ଆଦି ପାଇଁ ଶିକାର ହୋଇଛନ୍ତି। ଅନେକ ରାସ୍ତା ଓ ରେଳ ଦୁର୍ଘଟଣା, ଖାଲଖମାରେ ପଡ଼ି ମୃତାହତ ହୋଇଛନ୍ତି, ଯାହାର ସଠିକ୍‌ ତଥ୍ୟ ବା ସଂଖ୍ୟା କାହା ପାଖରେ ନାହିଁ।
ବିଶେଷ କରି ଅବିଚାରିତ ଭାବେ ଖଣିଖନନ, ବ୍ୟାପକ ଜଙ୍ଗଲ ନଷ୍ଟ, ଜଙ୍ଗଲାଞ୍ଚଳରେ ବସତି, ରାସ୍ତାଘାଟ, ରେଳଲାଇନ ଆଦି ନିର୍ମାଣ ଯୋଗୁ ବନ୍ୟପ୍ରାଣୀଙ୍କ ଯାତାୟାତ ପଥ ସଂକୁଚିତ ହୋଇଯାଉଛି। ବହୁ ସଂଖ୍ୟାରେ ଭାରୀଯାନ ଚଳାଚଳ, କାରଖାନା ନିର୍ମାଣ କାରଣରୁ ଶବ୍ଦ ପ୍ରଦୂଷଣ ମଧ୍ୟ ସେମାନଙ୍କୁ ବ୍ୟତିବ୍ୟସ୍ତ କରିଦେଇଥାଏ। ଏଣୁ ଅନେକ ସମୟରେ ପଥଭ୍ରଷ୍ଟ ହୋଇ ଜନବସତିମୁହଁା ହୋଇ କ୍ଷତି ଘଟାଉଛନ୍ତି। ପ୍ରାକୃତିକ ଜଙ୍ଗଲ ପଦାକରି କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା ଦ୍ୱାରା ପରିବେଶ ବିଗୁଡିଛି, ମାତ୍ର ୧୦ ପ୍ରତିଶତ ଗଛ ବଞ୍ଚୁଛି। ଏଣୁ ପ୍ରାକୃତିକ ଜଙ୍ଗଲର ସୁରକ୍ଷା ଦ୍ୱାରା ଏହାର ସମାଧାନ ହୋଇପାରିବ ବୋଲି ପରିବେଶବିତ୍‌ ହରେକୃଷ୍ଣ ମହାନ୍ତ କହିଛନ୍ତି। କେନ୍ଦୁଝର ଜିଲାର ବିଭିନ୍ନ ସହର ଓ ଗାଁମାନଙ୍କରେ ଆଗରୁ କେବେବି ହାତୀ ଏଭଳି ଦଳଗତ ଭାବେ ଦେଖିବାକୁ ମିଳୁ ନ ଥିଲା। କାରଣ ସେମାନେ ଜଙ୍ଗଲରୁ ପଦାକୁ ଆସନ୍ତି ନାହିଁ। ପଡ଼ୋଶୀ ଜିଲା ଓ ଝାଡ଼ଖଣ୍ଡ ରାଜ୍ୟକୁ ନିୟମିତ ହାତୀ ଚଲାପଥରେ ଯାତାୟାତ କରିଥାନ୍ତି। ୨୫ ବର୍ଷ ମଧ୍ୟରେ ଲୋକମାନେ ପ୍ରତ୍ୟେକ ଦିନ ହାତୀପଲଙ୍କୁ ନିକଟରୁ ଦେଖୁଛନ୍ତି। ଏଣୁ ହାତୀ ଓ ମଣିଷ ମୁହଁାମୁହିଁ ହେବା ଫଳରେ ଉଭୟ ମୃତାହତ ହେଉଛନ୍ତି। ଗତ କିଛି ଦିନ ହେଲା ଯେଉଁ ଭଳି ହାତୀଙ୍କ ମୃତ୍ୟୁ ଘଟୁଛି, ସେମାନଙ୍କୁ ସୁରକ୍ଷା ନ ଦିଆଗଲେ ଧରାରୁ ହାତୀ ଲୋପ ପାଇଯିବେ ବୋଲି ପରିବେଶବିତ୍‌ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି। କେବଳ ହାତୀ ନୁହେଁ, କେନ୍ଦୁଝର ଜିଲା ଜଙ୍ଗଲରେ ବହୁ ସଂଖ୍ୟାରେ ବାଘ ମଧ୍ୟ ଥିଲେ। ଖାଦ୍ୟ ଅଭାବ ଓ ସୁରକ୍ଷା ଅଭାବରୁ ବାଘ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲଙ୍କୁ ବିଚରଣ କରୁଛି। ହଠାତ ବାଘ ଆବିର୍ଭାବ ହେଲେ ଜଙ୍ଗଲ ନଷ୍ଟ କାରଣରୁ ସେମାନଙ୍କ ସୁରକ୍ଷା ପାଇଁ ସମଗ୍ର ବନ ବିଭାଗକୁ ନାକେଦମ ହେବା ସହ ବ୍ୟାପକ ଖର୍ଚ୍ଚ କରିବାକୁ ପଡୁଛି। ଆଗରୁ ଜଙ୍ଗଲ ଓ ପାହାଡ଼ରେ ବନବାସୀମାନେ ରହୁଥିଲେ। ତେବେ ବନ୍ୟପ୍ରାଣୀମାନେ ଖାଦ୍ୟ ତଥା ପାରିଧି ଭଳି ସାଂସ୍କୃତିକ କାର୍ଯ୍ୟ ପାଇଁ ଶିକାର କରିବା ସତ୍ତ୍ୱେ ମଧ୍ୟ ସୁରକ୍ଷିତ ଥିଲେ। କିନ୍ତୁ ସେମାନଙ୍କ ଜନସଂଖ୍ୟା ବୃଦ୍ଧି, ବାହାର ଲୋକଙ୍କ ପ୍ରବେଶ ଓ ଜବରଦଖଲର ଠିକ୍‌ ପରିଚାଳନା ହୋଇ ପାରି ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ପରିବେଶବିତ୍‌ମାନେ କହିଛନ୍ତି। କେନ୍ଦୁଝର ଡିଏଫଓ ଧନ୍‌ରାଜ ଏଚ.ଡି କହିଛନ୍ତି, ଜଙ୍ଗଲର ସୁରକ୍ଷା ପାଇଁ ବନୀକରଣ, ବେଆଇନ ଚାଲାଣ ଉପରେ ଧରପଗଡ଼ କରିବା ସହ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି। ଏଥିପାଇଁ କଡ଼ାକଡ଼ି ଆଇନ ମଧ୍ୟ ରହିଛି। ଏବେ ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କ ସହଭାଗିତାରେ ସେସବୁର ସୁରକ୍ଷା କରାଯାଉଛି।