ପୁଣି ନୂଆ ବିପଦ: କରୋନା ଯୋଗୁ ପ୍ରଜନନ କ୍ଷମତା ହରାଇ ବସୁଛନ୍ତି ପୁରୁଷ !

ନୂଆଦିଲ୍ଲୀ, ୩୦।୮: କରୋନା ମହାମାରୀର ପ୍ରଭାବ ଯୋଗୁ ପରବର୍ତ୍ତୀ ସମୟରେ ନୂଆ ବିପଦ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି। କରୋନା ପ୍ରଭାବରେ ପୁରୁଷ ପ୍ରଜନନ କ୍ଷମତା ହରାଇ ବସୁଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। କରୋନା ଆକ୍ରାନ୍ତ ପୁରୁଷଙ୍କର ଟେଷ୍ଟୋଷ୍ଟେରନ୍‌ ହରମୋନ ସ୍ବାଭାବିକ ଭାବେ କ୍ଷରଣ ହେଉ ନ ଥିବା ଏମ୍ସ୍‌ ପକ୍ଷରୁ କୁହାଯାଇଛି। ସାର୍ସ ଭୂତାଣୁର ପ୍ରଭାବରେ ମଧ୍ୟ ଏଭଳି ପ୍ରଭାବ ଅନୁଭୁତ ହୋଇଥିବା ବେଳେ ଏବେ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ସମାନ ସ୍ଥିତି ଦେଖିବାକୁ ମିଳୁଛି। କେତେକଙ୍କଠାରେ ଓର୍କାଇଟିସ୍‌ ସମସ୍ୟା ଦେଖାଦେଉଛି ବୋଲି ଏମ୍ସ୍‌ର ମେଡ଼ିସିନ୍‌ ବିଭାଗ ସହକାରୀ ପ୍ରଫେସର ଡ.ନୀରଜ ନିଶ୍ଚଳ ସୂଚନା ଦେଇଛନ୍ତି। ଏହି ସମସ୍ୟାରେ ଅଣ୍ଡକୋଷ ପ୍ରଭାବିତ ହେଉଛି। ଆକ୍ରାନ୍ତଙ୍କ କ୍ଷେତ୍ରରେ ଏସିଇ-୨ ପ୍ରୋଟିନ୍‌ ଉପରେ ଅଧିକ ପ୍ରଭାବ ପଡୁଥିବାରୁ ଏଭଳି ହେଉଥିବା ସେ କହିଛନ୍ତି। କରୋନା ଭୂତାଣୁ ଏହି ପ୍ରୋଟିନ୍‌କୁ ସଂକ୍ରମଣ କରୁଥିବାରୁ ପ୍ରଥମେ ଫୁସ୍‌ଫୁସ୍‌ କ୍ଷତିଗ୍ରସ୍ତ ହେଉଥିବା ସେ ସୂଚନା ଦେଇଛନ୍ତି।

Share