ନେପାଳରେ ପୁଣି ରାଜନୈତିକ ସଙ୍କଟ

କାଠମାଣ୍ଡୁ, ୨୩।୫(ଆଇଏଏନ୍‌ଏସ୍‌): ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ସୁପାରିସକ୍ରମେ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଶୁକ୍ରବାର ମଧ୍ୟରାତ୍ରରେ ପାର୍ଲାମେଣ୍ଟ ଭଙ୍ଗ କରିବା ସହ ନଭେମ୍ବର ୧୨ ଓ ୧୯ରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପାଇଁ ଘୋଷଣା କରିଛନ୍ତି। ଏହାକୁ ନେଇ ନେପାଳରେ ରାଜନୈତିକ ଅଚଳାବସ୍ଥା ସୃଷ୍ଟି ହୋଇଛି। ବିରୋଧୀ ଦଳଗୁଡ଼ିକ ଓଲିଙ୍କ ନିଷ୍ପତ୍ତିକୁ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ କହି ବିରୋଧ କରିଛନ୍ତି। ନିର୍ବାଚନ କରିହେବ କି ନାହିଁ ଏହାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ପାର୍ଲାମେଣ୍ଟ ଭଙ୍ଗ ରାଜନୈତିକ ବିଦ୍ରୋହ ପାଇଁ ଉଦ୍ୟମ ଏବଂ ତଥାକଥିତ ନିର୍ବାଚନ ଘୋଷଣା ଏକ ଜାଲିଆତି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶାସକ ଦଳ ନେତା ମାଧବ କୁମାର ନେପାଳ କହିଛନ୍ତି। ଓଲି ଏବଂ ନେପାଳ ଗୋଟିଏ ଦଳର ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଗୁରୁତର ମତପାର୍ଥକ୍ୟ ରହିଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଘନିଷ୍ଠତା ବାରମ୍ବାର ପାର୍ଲାମେଣ୍ଟ ଭାଙ୍ଗିବା ପଛର କାରଣ ବୋଲି ଦଳୀୟ ନେତାମାନେ କହିଛନ୍ତି। ଏହା ପୂର୍ବରୁ ଓଲିଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ଗତବର୍ଷ ଡିସେମ୍ବର ୨୦ରେ ପାର୍ଲାମେଣ୍ଟ ଭାଙ୍ଗିଦେଇଥିଲେ। ଗତ ଫେବୃୟାରୀ ୨୩ରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଫଳରେ ପୁନର୍ବାହାଲ କରାଯାଇଥିଲା। ସମ୍ବିଧାନକୁ ଧ୍ୱଂସ କରିବା ପାଇଁ ଭଣ୍ଡାରୀ ଏବଂ ଓଲି ଚାଲ୍‌ ଚଳାଇଥିବା ବିରୋଧୀ ଦଳ ନେପାଳ କଂଗ୍ରେସ ପାର୍ଟିର ବରିଷ୍ଠ ନେତା ରାମଚନ୍ଦ୍ର ପୌଡେଲ କହିଛନ୍ତି। ନୂଆ ସରକାର ଗଢ଼ିବା ପାଇଁ ଓଲି ଶୁକ୍ରବାର ଗୃହରେ ସଂଖ୍ୟାଗରିଷ୍ଠତା ଦେଖାଇବାରେ ବିଫଳ ହୋଇଥିଲେ। ବିରୋଧୀ ଦଳଗୁଡ଼ିକ ସଂଖ୍ୟାଗରିଷ୍ଠ ଭୋଟ ସହ ସରକାର ଗଢ଼ିବାକୁ ଦାବି ଜଣାଇବା ସତ୍ତ୍ୱେ ପାର୍ଲାମେଣ୍ଟକୁ ଭାଙ୍ଗିଦିଆଯିବା ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ। ଏହା ବିରୋଧରେ ନେପାଳ କଂଗ୍ରେସ ଆଇନଗତ, ରାଜନୈତିକ ଓ ସାମ୍ବିଧାନିକ ଲଢ଼େଇ ଲଢ଼ିବ ବୋଲି ପୌଡେଲ କହିଛନ୍ତି।

Share