Categories: ଜାତୀୟ

ପୁଣି ତେଜିଲା ସିଏଏ ନିଆଁ

ନୂଆଦିଲ୍ଲୀ/ଗୁଆହାଟୀ,୨୩ା୧: ୨୦୧୯ ଡିସେମ୍ବର ୧୧ରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିଲା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)। ଏହି ବିବାଦୀୟ ଆଇନ ପ୍ରତ୍ୟାହାର ଦାବିରେ ଶତାଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ଆଗକୁ ପଶ୍ଚିମବଙ୍ଗ ଓ ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ଭାଜପା ଜୋର୍‌ ଦେଉଛି ସିଏଏ ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଭଳି ଜାତୀୟତାବାଦୀ କାର୍ଯ୍ୟସୂଚୀ ଉପରେ। ଏହାର ପ୍ରତିବାଦରେ ପୁଣି ଥରେ ତେଜିଛି ସିଏଏ ବିରୋଧୀ ଆନ୍ଦୋଳନର ନିଆଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସାମ ଗସ୍ତର ଅବ୍ୟବହିତ ପୂର୍ବରୁ ନବଗଠିତ ଆସାମ ଜାତୀୟ ପରିଷଦ (ଏଜେପି) ଏବଂ ରାଇଜୋର୍‌ ଦଳ ସିଏଏ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୨୦୧୬ ବିଧାନସଭା ନିର୍ବାଚନ ବେଳେ ଭାଜପା ଦେଇଥିବା ବଡ଼ ବଡ଼ ପ୍ରତିଶ୍ରୁତିକୁ ରକ୍ଷା କରିପାରି ନାହିଁ। ଅଥଚ ବାଂଲାଦେଶୀଙ୍କୁ ରାଜ୍ୟରେ ନାଗରିକତ୍ୱ ପ୍ରଦାନ ପାଇଁ ବିବାଦୀୟ ଆଇନକୁ ଲାଗୁ କରାଉଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି।
ନରେନ୍ଦ୍ର ମୋଦି ଶନିବାର ଆସାମର ଶିବସାଗର ଜିଲା ଗସ୍ତ କରିବେ। ଏହି ଅବସରରେ ମୋଦି ରାଜ୍ୟ ସରକାରଙ୍କ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଲକ୍ଷାଧିକ ଆଦିବାସୀଙ୍କୁ ଜମିପଟ୍ଟା ପ୍ରମାଣପତ୍ର ଦେବେ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ରବିବାର ଆସାମ ଗସ୍ତ କରିବେ। ଗତ ନିର୍ବାଚନରେ ପ୍ରଧାନମନ୍ତ୍ରୀ କହିଥିଲେ, ରାଜ୍ୟର ସମସ୍ତ ବାଂଲାଦେଶୀଙ୍କୁ ସେମାନଙ୍କ ଗଣ୍ଠିଲି ବାନ୍ଧିବାକୁ ପଡ଼ିବ। ଭାଜପା କ୍ଷମତାକୁ ଆସିଲେ ବାଂଲାଦେଶୀମାନଙ୍କୁ ଉଚ୍ଛେଦ କରାଯିବ। କିନ୍ତୁ ଉଭୟ ଆସାମର ସର୍ବାନନ୍ଦ ସୋନୋଓ୍ବାଲ ସରକାର ଓ କେନ୍ଦ୍ରର ମୋଦି ସରକାର ବାଂଲାଦେଶୀମାନଙ୍କ ପାଇଁ ରେଡ୍‌ କାର୍ପେଟ ବିଛାଇଛନ୍ତି। ଫଳରେ ଆସାମର ଲୋକେ ସେମାନଙ୍କ ରାଜନୈତିକ, ଅର୍ଥନୈତିକ, ଭାଷାଗତ ଓ ସାମ୍ବିଧାନିକ ଅଧିକାରରୁ ବଞ୍ଚତ୍ତ ହୋଇଥିବା ଏଜେପି ଅଧ୍ୟକ୍ଷ ଲୁରିନ୍‌ଜ୍ୟୋତି ଗୋଗୋଇ ଅଭିଯୋଗ ଆଣିଛନ୍ତି। ରାଇଜୋର ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାସ୍କୋ ଡି ସାଇକିଆ କହିଛନ୍ତି, ଗୈରିକ ଦଳ ୨୦୧୬ ଭିଜନ ଡକ୍ୟୁମେଣ୍ଟରେ ୪୭୬ ପ୍ରତିଶ୍ରୁତି ଦେଇଥିବାବେଳେ ସେଥିରୁ ମାତ୍ର ୫ଟି ପାଳନ କରିଛି। ସିଏଏ ବିରୋଧରେ ତେଜପୁର ଓ ଦିବ୍ରୁଗଡ଼ରେ ଅଲ୍‌ ଆସାମ ଷ୍ଟୁଡେଣ୍ଟସ୍‌ ୟୁନିୟନ୍‌ (ଏଏଏସ୍‌ୟୁ) ପକ୍ଷରୁ ବଡ଼ ଧରଣର ବିକ୍ଷୋଭ କରାଯାଇଛି। ଏଏଏସ୍‌ୟୁ ସିଏଏ ବିରୋଧରେ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରି ବିବାଦୀୟ ଆଇନର କପି ପୋଡ଼ିବାକୁ ଧମକ ଦେଇଛି। ବିକ୍ଷୋଭ ଶୋଭାଯାତ୍ରା ବେଳେ ପୋଲିସ ଛାତ୍ରୀଛାତ୍ରଙ୍କ ଉପରେ ଲାଠିମାଡ଼ କରିଛି। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କ ପ୍ରତ୍ୟର୍ପଣ କରିବାରେ ସରକାର ବିଫଳ ହୋଇଥିବା ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ଟାର୍ଗେଟ କରିଛି।

Share