ଆମେରିକା-ଚାଇନା ମୁହାଁମୁହିଁ

ଟୋକିଓ/ବେଜିଂ,୨୪ା୫: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ତାଇଓ୍ବାନ୍‌ ଦଖଲର ମହତ୍ତ୍ୱାକାଂକ୍ଷା ଓ ଯୋଜନାକୁ ତାଙ୍କ ସରକାରରେ ଥିବା କେତେଜଣ ବରିଷ୍ଠ ଅଧିକାରୀ ଧରାପକାଇ ଦେଇଛନ୍ତି। ତାଇଓ୍ବାନ୍‌ ଦଖଲର ରୋଡ୍‌ମ୍ୟାପ୍‌ ସମ୍ପର୍କିତ ଆଲୋଚନାକୁ ନେଇ ୫୭ ମିନିଟ୍‌ର ଏକ ଅଡିଓ କ୍ଲିପ୍‌ ପ୍ରଘଟ ହେବା ପରେ ଆମେରିକା ଓ ଚାଇନା ମଧ୍ୟରେ ପୁଣି ବାକ୍‌ଯୁଦ୍ଧ ତେଜିଛି। ଚାଇନାର କ୍ରମବର୍ଦ୍ଧିଷ୍ଣୁ ଆର୍ଥିକ ଓ ସାମରିକ ଶକ୍ତି ଯୋଗୁ ଉତ୍ତେଜନା ବଢ଼ୁଥିବାବେଳେ ଟୋକିଓରେ ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ବେଜିଂକୁ କଡ଼ା ଚେତାବନୀ ଦେଇଛନ୍ତି। ଚାଇନା ତାଇଓ୍ବାନ୍‌କୁ ଦଖଲ ଉଦ୍ୟମ କଲେ ସ୍ବୟଂଶାସିତ ଦ୍ୱୀପ ରାଷ୍ଟ୍ରକୁ ସୁରକ୍ଷା ଦେବା ପାଇଁ ଆମେରିକା ବଳ ପ୍ରୟୋଗ କରିବ ବୋଲି ସେ କହିଛନ୍ତି।
କ୍ୱାଡ୍‌ ସମ୍ମିଳନୀରେ ଯୋଗଦେବା ପାଇଁ ଜାପାନ ରାଜଧାନୀ ଟୋକିଓ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଚାଇନାକୁ କଡ଼ା ଚେତାବନୀ ଦେଇଛନ୍ତି। ଚାଇନା ତାଇଓ୍ବାନ୍‌ ଗଣତନ୍ତ୍ର ଉପରେ ଆକ୍ରମଣ କଲେ ଆମେରିକା ହସ୍ତକ୍ଷେପ କରିବ। ଓ୍ବାନ୍‌ ଚାଇନା ପଲିସିକୁ ନେଇ ଆମେ ସହମତ। ଏଥିରେ ଆମେ ସ୍ବାକ୍ଷର କରିଛୁ। କିନ୍ତୁ ଚାଇନା ବଳ ପ୍ରୟୋଗ କରି କୌଣସି ପଦକ୍ଷେପ ନେଲେ ଆମେ ଚୁପ୍‌ ରହିବୁ ନାହିଁ ବୋଲି ବାଇଡେନ୍‌ କହିଛନ୍ତି। ୟୁକ୍ରେନ୍‌ରେ ରୁଷିଆର ବର୍ବରତା ପାଇଁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଦୀର୍ଘ ସମୟ ଧରି ବହୁମୂଲ୍ୟ ଦେବାକୁ ପଡ଼ିବ।
ସମ୍ପ୍ରତି କେବଳ ୟୁକ୍ରେନ୍‌ ନୁହେଁ, ବରଂ ତାଇଓ୍ବାନ୍‌ ମଧ୍ୟ ଏକ ବଡ଼ ପ୍ରସଙ୍ଗ। ରୁଷିଆ ଉପରେ ପାଶ୍ଚାତ୍ୟର ଚାପକୁ ବେଜିଂ ଦେଖିସାରିଛି। ଚାଇନା ବଳପୂର୍ବକ ତାଇଓ୍ବାନ୍‌ ଦଖଲ ପୂର୍ବରୁ ଏହି ସନ୍ଦେଶକୁ ଭଲଭାବେ ବୁଝିବା ଦରକାର ବୋଲି ବାଇଡେନ୍‌ କହିଛନ୍ତି। ଏହାକୁ ଚାଇନା ବିରୋଧରେ ଆମେରିକା ପକ୍ଷରୁ ସବୁଠୁ କଠୋର ଚେତାବନୀ ବୋଲି କୁହାଯାଉଛି। ଅନ୍ୟପକ୍ଷେ ବାଇଡେନ୍‌ଙ୍କ ଏହି ମନ୍ତବ୍ୟକୁ ନେଇ ବେଜିଂ ଆପତ୍ତି ଉଠାଇଛି। ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ୟି କହିଛନ୍ତି, ଚାଇନାର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଏକତା ପ୍ରସଙ୍ଗରେ ସାଲିସ କରାଯିବ ନାହିଁ। କୌଣସି ରାଷ୍ଟ୍ର ଆମ ଦୃଢ଼ ସାମର୍ଥ୍ୟକୁ ନୂ୍ୟନ ମନେକରିବା ଭୁଲ୍‌ କରନ୍ତୁ ନାହିଁ। ବାଇଡେନ୍‌ଙ୍କ ପୂର୍ବ ଏସିଆ ଗସ୍ତ, କ୍ୱାଡ୍ରିଲେଟରାଲ ସିକ୍ୟୁରିଟି ଡାଇଲଗ୍‌ (କ୍ୱାଡ୍‌) ସମିଟ୍‌ ଏବଂ ଆମେରିକାର ଇଣ୍ଡୋ-ପାସିଫିକ୍‌ ରଣନୀତିକୁ ଏହା ପୂର୍ବରୁ ଚାଇନା କଡ଼ା ସମାଲୋଚନା କରିସାରିଛି।

Share