ଦେବୋତ୍ତର କମିଶନରଙ୍କୁ ସ୍ମାରକପତ୍ର ଦେଲେ ନାଗା ସାଧୁ

ପୁରୀ ଅଫିସ, ୬।୧୦: ଲଙ୍ଗୁଳି ମଠରେ ଧୁନି ପରମ୍ପରାକୁ ବଜାୟ ରଖିବା ପାଇଁ ଭାରତର ବିଭିନ୍ନ ସ୍ଥାନରୁ ନାଗା ସାଧୁମାନେ ଆସି ପୁରୀରେ ଏକାଠି ହୋଇଛନ୍ତି। ମାତ୍ର ସେମାନଙ୍କୁ ଲଙ୍ଗୁଳି ମଠ ନିକଟକୁ ଛଡ଼ା ନ ଯିବାରୁ ନାଗା ସାଧୁମାନେ ଗତ ୨୫ ତାରିଖରେ ସିଂହଦ୍ୱାର ନିକଟରେ ବିକ୍ଷୋଭ କରିବା ସହ ଧାରଣା ଦେଇଥିଲେ। ପରେ ପ୍ରଶାସନ ପକ୍ଷରୁ ସେମାନଙ୍କ ସହ ଆଲୋଚନା ହେବ ବୋଲି କୁହାଯାଇଥିଲା। ପ୍ରଶାସନ ସହ ସେମାନଙ୍କର ଆଲୋଚନା ହୋଇଥିଲେ ବି ଏ ପର୍ଯ୍ୟନ୍ତ କୌଣସି ଦାବି ପୂରଣ ହୋଇ ନାହିିଁ। ତେଣୁ ସୋମବାର ନାଗାସାଧୁମାନେ ବିଭିନ୍ନ ଦାବି ନେଇ ଦେବୋତ୍ତର କମିଶନରଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ଲଙ୍ଗୁଳି ମଠ ଉଚ୍ଛେଦ କରାଯାଇଛି। ମାତ୍ର ଏହା ପରେ ସେମାନଙ୍କ ଉପାସନା ପୀଠ ଧୁନି ଗାଦିକୁ ସେମାନଙ୍କୁ ଛଡ଼ାଯାଉ ନାହିିଁ। ଫଳରେ ଦୀଘବର୍ଷ ଧରି ରହିଆସିଥିବା ପରମ୍ପରା ଭଙ୍ଗ ହେଉଛି। ବର୍ତ୍ତମାନ ଲଙ୍ଗୁଳି ମଠର ଯିଏ ମହନ୍ତ ଅଛନ୍ତି ସେ ସାଧୁଙ୍କୁ ତଡ଼ିବାକୁ ଚେଷ୍ଟା କରୁଛନ୍ତି। ତେଣୁ ତାଙ୍କ ସ୍ଥାନରେ ନାଗା ପରମ୍ପରା ନିୟମାନୁସାରେ ଜଣେ ନାଗା ସାଧୁଙ୍କୁ ନିୟୋଜିତ କରିବା ପାଇଁ ଜଣାଇଛନ୍ତି। ଏଥିସହ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହ ନାଗା ସାଧୁଙ୍କ ସମ୍ପର୍କ ରହିଛି, ମାତ୍ର ଶ୍ରୀକ୍ଷେତ୍ରରେ ସେମାନଙ୍କ ଉପାସନା ପାଇଁ ସ୍ଥାନ ନାହିିଁ। ଏହା ଉପରେ ମଧ୍ୟ ଦୃଷ୍ଟି ଦେବାକୁ କମିଶନରଙ୍କୁ ଅନୁରୋଧ କରିଥିବା ନାଗାସାଧୁଙ୍କ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।