ବଡଗାମ,୪ା୧୧: ଶ୍ରୀନଗର ଲୋକ ସଭା ସଦସ୍ୟ ସୟଦ ଆଗା ରୁହୁଲ୍ଲା ମେହେଦି ମଙ୍ଗଳବାର ନ୍ୟାଶନାଲ କନ୍ଫରେନ୍ସ(ଏନ୍ସି)ରୁ ଇସ୍ତଫା ଦେଇଛନ୍ତି। ସେ ଦଳର ନେତୃତ୍ୱ ଉପରେ ଧାରା ୩୭୦ର ପୁନଃପ୍ରତିଷ୍ଠା ସମେତ ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତିଗୁଡ଼ିକୁ ପୂରଣ ନ କରିବା ନେଇ ଅଭିଯୋଗ ଆଣିଛନ୍ତି। ଯଦିଓ ରୁହୁଲ୍ଲା ସଂସଦରୁ ଇସ୍ତଫା ଦେବା ବିଷୟରେ ଉଲ୍ଲେଖ କରିନାହାନ୍ତି, ତେବେ ସେ ମଙ୍ଗଳବାର ପରେ ଲୋକ ସଭା ବାଚସ୍ପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇବେ ବୋଲି ଜଣାପଡ଼ିଛି। ୨୦୨୪ରେ ଏନ୍ସି ଟିକେଟରେ ଲୋକ ସଭାକୁ ନିର୍ବାଚିତ ହୋଇଥିବା ରୁହୁଲ୍ଲା ନିଜ ସମର୍ଥକମାନଙ୍କୁ ଦେଇଥିବା ୮୦ ମିନିଟ୍ର ଭାଷଣରେ ଜମ୍ମୁ-କଶ୍ମୀରରେ ଏକ ନୂତନ ରାଜନୈତିକ ଦଳ ଗଠନ କରିବା ନେଇ ସଙ୍କେତ ଦେଇଛନ୍ତି। ସେ ଫାରୁକ ଅବଦୁଲ୍ଲା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଉପରେ ବର୍ଷିଛନ୍ତି। ଧାରା ୩୭୦କୁ ପୁନଃ ପ୍ରତିଷ୍ଠା କରିବା ପାଇଁ ଚାଲିଥିବା ଲଢ଼େଇକୁ ସେମାନେ ଛାଡ଼ିଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଦଳ ବିଧାନସଭା ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି।
ସେ ଆଉ ଏହି ମିଛ ପ୍ରତିଶ୍ରୁତିର ଅଂଶ ହୋଇ ରହିପାରିବେ ନାହିଁ ବୋଲି ରୁହୁଲ୍ଲା କହିଛନ୍ତି।