ଲିଖିତ ପ୍ରତିଶ୍ରୁତି ପରେ ଅଳିଆ ଉଠାଇଲା ବିଏମ୍‌ସି

ଭୁବନେଶ୍ୱର, ୧୪।୯(ବ୍ୟୁରୋ): ରାଜଧାନୀରେ ଅଳିଆ ଖିଲାପକାରୀଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି ବିଏମ୍‌ସି। ଓଦା ଓ ଶୁଖିଲା ଅଳିଆକୁ ପୃଥକ କରି ବିଏମ୍‌ସି ସଫେଇ ଗାଡ଼ିରେ ଦେବା ପାଇଁ ବାରମ୍ବାର ସଚେତନ କରିବା ସତ୍ତ୍ୱେ ଏହାକୁ କେତେଜଣ ବ୍ୟକ୍ତି ପାଳନ କରୁନାହାନ୍ତି। ଫଳରେ ଏବେ ଆଉ ସଚେତନ ନୁହେଁ, ବରଂ ଆକ୍ସନ ମୋଡ୍‌କୁ ଆସିଛି ବିଏମ୍‌ସି। ଯାହାର ଉଦାହରଣ ଓ୍ବାର୍ଡ ନଂ ୬୦ରେ ଦେଖିବାକୁ ମିଳିଥିଲା। ବାହାରେ ଅଳିଆ ପକାଉଥିବା କୈଳାସ ଏନ୍‌କ୍ଲେଭ୍‌ ଆପାର୍ଟମେଣ୍ଟର ଅଳିଆକୁ ସେହି ଆପାର୍ଟମେଣ୍ଟ ସାମ୍ନାରେ ପକାଇଥିଲା ବିଏମ୍‌ସି। ସମ୍ପୃକ୍ତ ଆପାର୍ଟମେଣ୍ଟ ବାସିନ୍ଦା ନିୟମ ଖିଲାପ କରି ପାଖରେ ଥିବା ଏକ ଖୋଲା ସ୍ଥାନରେ ମନଇଚ୍ଛା ଅଳିଆ ପକାଇ ଆସୁଥିଲେ। ଏ ନେଇ ଅଭିଯୋଗ ହେବା ପରେ ବିଏମ୍‌ସି ସୋମବାର ଜେସିବି ସାହାଯ୍ୟରେ ଆପାର୍ଟମେଣ୍ଟ ଫାଟକ ସମ୍ମୁଖରେ ଆବର୍ଜନା ଗଦାଇ ଦେଇଥିଲା। ତେବେ ଆପାର୍ଟମେଣ୍ଟବାସୀ ଆଉ ବାହାରେ ଅଳିଆ ପକାଇବେ ନାହିଁ ବୋଲି ମଙ୍ଗଳବାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ବିଏମ୍‌ସି ସେଠାରୁ ଅଳିଆ ଉଠାଇ ନେଇଥିଲା। ଏଭଳି ପଦକ୍ଷେପ ନେଇ ବିଏମ୍‌ସି ଚେତାଇ ଦେଇଛି ଯେ, ସହରକୁ ଅଳିଆ କଲେ ନିଜ ଘର ଅଳିଆ ହେବ। ପୂର୍ବରୁ ମେୟର ସୁଲୋଚନା ଦାସ ‘ବାହାରେ ଗଦାକଲେ ଘରେ ଅଳିଆ ପୂରାଇ ଦେବି’ ବୋଲି ଚେତାବନୀ ଦେଇ ଚର୍ଚ୍ଚାକୁ ଆସିଥିଲେ। କେବଳ କଥାରେ ନୁହେଁ ବରଂ କାମରେ ମଧ୍ୟ ବିଏମ୍‌ସି କଡ଼ା ପଦକ୍ଷେପ ନେଇପାରେ ବୋଲି ଏଥିରୁ ପ୍ରମାଣିତ ହେଉଛି। ସ୍ବଚ୍ଛତା କେବଳ ବିଏମ୍‌ସିର ନୁହେଁ, ବରଂ ଆମ ସମସ୍ତଙ୍କର ଦାୟିତ୍ୱ। ତେଣୁ ସମସ୍ତେ ମିଳିମିଶି ଏହି ନିୟମ ପାଳନ କରିବା ଆବଶ୍ୟକ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।