ସ୍ମିଥ୍‌ଙ୍କୁ ଓସ୍କାରରୁ ଚାଲିଯିବାକୁ କୁହାଯାଇଥିଲା

ଲସ୍‌ ଆଞ୍ଜେଲସ,୩୧।୩: କମେଡିଆନ କ୍ରିସ ରକ୍‌ଙ୍କୁ ମଞ୍ଚ ଉପରେ ଚାପୁଡ଼ା ମାରିବା ପରେ ଓ୍ବିଲ ସ୍ମିଥଙ୍କୁ ଓସ୍କାର ଉତ୍ସବରୁ ଚାଲି ଯିବାକୁ କୁହାଯାଇଥିଲା। ଏ ନେଇ ମୋଶନ ପିକଚର ଆର୍ଟସ ଏବଂ ସାଇନ୍ସ ଏକାଡେମୀ ପକ୍ଷରୁ ବୁଧବାର ସ୍ପଷ୍ଟ କରାଯାଇଛି। ଏକାଡେମୀ ପକ୍ଷରୁ ହଲିଉଡ୍‌ ମେଗା ଷ୍ଟାରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ‘କିଙ୍ଗ ରିଚାର୍ଡ’ ଫିଲ୍ମ ଲାଗି ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିବାର କିଛି ସମୟ ପୂର୍ବରୁ ଉପସ୍ଥାପକ ରକ୍‌ଙ୍କୁ ଚାପୁଡ଼ା ମାରିବା ପାଇଁ ସ୍ମିଥ ଏକାଡେମୀରୁ ବହିଷ୍କାର ହୋଇପାରନ୍ତି।

“ସ୍ମିଥଙ୍କୁ ଓସ୍କାର ଉତ୍ସବରୁ ଚାଲି ଯିବାକୁ କୁହାଯାଇଥିଲା। କିନ୍ତୁ ସେ ମନା କରି ଦେଇଥିଲେ” ବୋଲି ଏକ ବିବୃତିରେ କୁହାଯାଇଛି। ସ୍ମିଥଙ୍କ ବିରୋଧରେ କେଉଁ ଭଳି କାର୍ଯ୍ୟାନୁଷ୍ଠାନ କରାଯିବ, ଭୋଟ ଜରିଆରେ ତାହା ନିର୍ଣ୍ଣୟ କରାଯିବ।

“ବୋର୍ଡ ଅଫ୍‌ ଗଭରନର୍ସ ଗୁରୁବାର ସ୍ମିଥଙ୍କ ବିରୋଧରେ ଶୃଙ୍ଖଳାଗତ ଶୁଣାଣି ଆରମ୍ଭ କରିଛନ୍ତି। ମେଗା ଷ୍ଟାର ଅନୁପଯୁକ୍ତ ଶାରୀରିକ ସଂଶର୍ସ୍ପ ଏବଂ ଧମକାଇଲା ଭଳି ବ୍ୟବହାର କରି ଏକାଡେମୀର ଷ୍ଟାଣ୍ଡାଡର୍‌ସ ଅଫ୍‌ କଣ୍ଡକ୍ଟ ଭଙ୍ଗ କରିଛନ୍ତି। ଏଥି ଲାଗି ତାଙ୍କ ଦଣ୍ଡାଦେଶ ନିର୍ଣ୍ଣୟ କରିବା ପାଇଁ ଭୋଟ ହେବା ପୂର୍ବରୁ ସ୍ମିଥଙ୍କୁ ୧୫ ଦିନିଆ ନୋଟିସ ପଠାଯାଇଛି। ଅପ୍ରିଲ ୧୮ ତାରିଖରେ ବସିବାକୁ ଥିବା ପରବର୍ତ୍ତୀ ବୋର୍ଡ ମିଟିଂରେ ଅଭିନେତାଙ୍କୁ ବହିଷ୍କାର କିମ୍ବା ବାସନ୍ଦ କିମ୍ବା ଅନ୍ୟ ପ୍ରକାର ଦଣ୍ଡାଦେଶ ଧାର୍ଯ୍ୟ କରାଯାଇପାରେ” ବୋଲି ବିବୃତିରେ କୁହାଯାଇଛି।

Share