ପ୍ରଧାନମନ୍ତ୍ରୀଙ୍କ ପରେ ମୁଖ୍ୟମନ୍ତ୍ରୀମାନେ ନେଲେ କରୋନା ଟିକା: ଭାଜପାର ଏମ୍‌ପି, ବିଧାୟକ ଟଙ୍କା ଦେଇ ନେବେ ଟିକା

ନୂଆଦିଲ୍ଲୀ,୧ ।୩: କରୋନା ମାହାମାରୀକୁ ଦୂରେଇବା ପାଇଁ ଦେଶରେ ମାର୍ଚ୍ଚ ୧ ଅର୍ଥାତ୍ ସୋମବାରଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଏଥିରେ ୬୦ ବର୍ଷରୁ ଅଧିକ ଓ ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଟିକା ଦିଆଯିବାକୁ ସ୍ଥିର କରାଯାଇଛି । କେବଳ ସରକାରୀ ନୁହେଁ ଏଥର ବେସରକାରୀ ହସ୍ପିଟାଲରେ ବି ଏହି ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ପହଞ୍ଚି ପ୍ରଥମ ଡୋଜ୍ କରୋନା ଟିକା ନେଇଛନ୍ତି । ଦେଶରେ ପ୍ରସ୍ତୁତ କରାଯାଇଥିବା କୋଭାକ୍ସିନ ଟିକା ମୋଦିଙ୍କୁ ଦିଆଯାଇଛି । ଏହାପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ସୋମବାର କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି । ଏହି ଅବସରରେ କଂଗ୍ରେସ ଏମ୍‌ପି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯୁବକଙ୍କୁ ବି କରୋନା ଟିକା ଦିଆଯାଉ । ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି ସେ ଆଜି ବୁକ୍ କରି ମଙ୍ଗଳବାର ଟିକା ନେବେ । ତେବେ ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି ଓ ବିଧାୟକମାନେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ମୂଲ୍ୟ ଦେଇ କରୋନା ଟିକା ନେବେ ବୋଲି ଜଣାପଡିଛି ।

Share