ପାଟଣା,୨୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଡିଆନାଳି ଗ୍ରାମରେ ଭଉଣୀ କାଲାରା ମୁଣ୍ଡାଙ୍କ ମୃତ୍ୟୁ ପରେ ତାଙ୍କ ଜମା ଖାତାରେ ଥିବା ୧୯ହଜାର ୫ଶହ ଟଙ୍କା ଉଠାଇବାକୁ ଭାଇ ଜିତୁ ବାରମ୍ବାର ବ୍ୟାଙ୍କ ଯାଇ ନିରାଶ ହୋଇଥିଲେ। ଫଳରେ ମୃତ ଭଉଣୀର ୩ ମାସ ତଳର କଙ୍କାଳକୁ ଖୋଳି ଘର ଠାରୁ ୪ କିଲୋମିଟର ରାଜ ରାସ୍ତାରେ ଅମାନବୀୟ ଭାବେ କାନ୍ଧରେ ବୋହି ସୋମବାର ମଲ୍ଲି ପୋଷି ସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଗ୍ରିଲ ସମ୍ମୁଖରେ ପହଞ୍ଚାଇ ଟଙ୍କା ଦାବି କରିଥିଲେ।
ଖବର ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିବା ପରେ ମଙ୍ଗଳବାର ପ୍ରଶାସନ ଓ ବ୍ୟାଙ୍କ କର୍ତ୍ତୃପକ୍ଷ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମୃତ କାଲା ମୁଣ୍ଡାଙ୍କ ଭାଇ ଜିତୁଙ୍କ ଡିଆନାଳି ସ୍ଥିତ ଘରେ ପ୍ରଶାସନ ପହଞ୍ଚି ରେଡ କ୍ରସ ତରଫରୁ ୨୦ହଜାର ଟଙ୍କା ଓ ବ୍ୟାଙ୍କ କର୍ତ୍ତୃପକ୍ଷ ଜମା ବହିରେ ଥିବା ୧୯ହଜାର ୪୦୩ ଟଙ୍କା ସ୍ଥାନୀୟ ଏରେଣ୍ଡେ ସରପଞ୍ଚ ପାର୍ବତୀ ଦେହୁରୀ, ୨୩ ନମ୍ବର ଜିଲା ପରିଷଦ ସଦସ୍ୟ ରୁନୁ ମହାନ୍ତ, ବିଡ଼ିଓ ମାନସ କୁମାର୍ ଦଣ୍ଡପାଟ, ଅତିରିକ୍ତ ତହସିଲ ଦାର ଶରଣ କୁମାର ଜେନା,ବ୍ୟାଙ୍କ ପକ୍ଷରୁ ଏଲ ଡି ଏମ ହୀରାଲାଲ ମହାମଲ୍ଲିକ , ଏଚ ଆର ମ୍ୟାନେଜର ଅଭିମନ୍ୟୁ ବେହେରା, ମ୍ୟାନେଜର ସୁଧାଂଶୁ ଶେଖର ସେଠୀ,ଆଞ୍ଚଳିକ ପ୍ରବନ୍ଧକ ସତ୍ୟବ୍ରତ ନନ୍ଦ ଉପସ୍ଥିତ ରହି ପ୍ରଦାନ କରିଥିଲେ। ଜିତୁ ଟଙ୍କା ପାଇବା ପରେ ଖୁସିବ୍ୟକ୍ତ କରିଛନ୍ତି।