Categories: ଖେଳ

ଶୋଚନୀୟ ପରାଜୟ ପରେ ଭାରତକୁ ଲାଗିଲା ବଡ଼ ଝଟ୍‌କା

ସେଞ୍ଚୁରିଅନ୍‌,୨୯।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆକୁ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡିଛି। ଦକ୍ଷିଣ ଆଫ୍ରିକା ଟିମ ଇଣ୍ଡିଆକୁ ଗୋଟିଏ ଇନିଂସ ଏବଂ ୩୨ ରନରେ ପରାସ୍ତ କରିଛି। ତେବେ ଏହି ପରାଜୟ ପରେ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ପଏଣ୍ଟ ଟେବୁଲରେ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ଏଥି ସହିତ ବିଜୟ ପରେ ଦକ୍ଷିଣ ଆଫ୍ରିକା ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି। ଦକ୍ଷିଣ ଆଫ୍ରିକା ପରେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ଅଛି, କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ମେଲବୋର୍ନ ଟେଷ୍ଟରେ ପାକିସ୍ତାନୀ ଦଳର ଅବସ୍ଥା ଭଲ ନୁହେଁ। ଯଦି ମେଲବୋର୍ନରେ ଅଷ୍ଟ୍ରେଲିଆ ବିପକ୍ଷରେ ପାକିସ୍ତାନ ଦଳ ପରାଜୟର ସମ୍ମୁଖୀନ ହୁଏ, ତେବେ ନିଶ୍ଚିତ ଯେ ପାକିସ୍ତାନ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ପଏଣ୍ଟ ଟେବୁଲରେ ଖସିଯିବ।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲରେ ଦକ୍ଷିଣ ଆଫ୍ରିକା ୧୨ ପଏଣ୍ଟ ପାଇଛି । ଏହି ଦଳର ଶତକଡ଼ା ପଏଣ୍ଟ ୧୦୦ ପ୍ରତିଶତ। ଏହା ପରେ ପାକିସ୍ତାନ ୩ଟି ମ୍ୟାଚରେ ୨୨ ପଏଣ୍ଟ ଏବଂ ୬୧.୧୧ ପ୍ରତିଶତ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛ। ୨ଟି ମ୍ୟାଚରେ ୧୨ ପଏଣ୍ଟ ଏବଂ ୫୦ ପ୍ରତିଶତ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନରେ ରହିଛ। ଏହା ପରେ ବାଂଲାଦେଶ। ୨ଟି ମ୍ୟାଚରେ ବାଂଲାଦେଶ ୧୨ ପଏଣ୍ଟ ଏବଂ ୫୦ ପ୍ରତିଶତ ପଏଣ୍ଟ ପାଇଛି। ୩ଟି ଟେଷ୍ଟ ମ୍ୟାଚରେ ୧୬ଟି ପଏଣ୍ଟ ଏବଂ ୪୪.୪୪ ପ୍ରତିଶତ ପଏଣ୍ଟ ସହ ଭାରତୀୟ ଦଳ ପଞ୍ଚମ ସ୍ଥାନକୁ ଖସି ଆସିଛି।
ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ପରାସ୍ତ କରିଥିଲା, କିନ୍ତୁ ଏହା ସତ୍ତ୍ୱେ କଙ୍ଗାରୁଙ୍କ ଅବସ୍ଥା ଭଲ ନୁହେଁ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ଷଷ୍ଠ ସ୍ଥାନରେ ରହିଛି। ୬ଟି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ୩୦ ପଏଣ୍ଟ ଏବଂ ୪୧.୬୯ ପ୍ରତିଶତ ପଏଣ୍ଟ ପାଇଛି। ୱେଷ୍ଟଇଣ୍ଡିଜ ସପ୍ତମ ସ୍ଥାନରେ ଏବଂ ଇଂଲଣ୍ଡ ଅଷ୍ଟମ ସ୍ଥାନରେ ରହିଛି। ଏହା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ପଏଣ୍ଟ ଟେବୁଲରେ ଶ୍ରୀଲଙ୍କା ନବମ ସ୍ଥାନରେ ରହିଛି।

Share