ଝିଅପୁଅ ପରେ ମା’ ଆଖିବୁଜିଲେ

ବଡ଼ମ୍ବା,୫ା୯(ଡି.ଏନ୍‌.ଏ):କଟକ ଜିଲା ବଡ଼ମ୍ବା ଥାନା ଅନ୍ତର୍ଗତ ଅଭିମାନପୁର ପଞ୍ଚାୟତସ୍ଥିତ ବୀରବରପୁର ଗ୍ରାମରେ ଘରେ ତିଆରି ଚାଟ୍‌ ଖାଇ ଗୋବିନ୍ଦ୍ର ପାତ୍ରଙ୍କ ପରିବାରର ୪ ସଦସ୍ୟଙ୍କ ମଧ୍ୟରୁ ଝିଅ ରୁଚିକା ଓ ପୁଅ ରୁଦ୍ରଙ୍କ ଶନିବାର ଭୋର ସମୟରେ ମୃତ୍ୟୁ ହୋଇଥିବା ବେଳେ ରାତିରେ ସ୍ତ୍ରୀ ରୁନୁବାଳାଙ୍କ ଜଗତ୍‌ପୁରସ୍ଥିତ ଏକ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ଘଟିଛି। ଗୋବିନ୍ଦ ମଧ୍ୟ ଉକ୍ତ ଚିକିତ୍ସାଳୟରେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ରବିବାର କଟକ ଖାଦ୍ୟ ଯାଞ୍ଚ ଅଧିକାରୀ ଦିଲୀପ ତରାଇଙ୍କ ସମେତ ମାଣିଆବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ବିଶ୍ୱନାଥ ଆଧେକ, ଜନସ୍ବାସ୍ଥ୍ୟ ଅଧିକାରୀ ଶରତ ଚନ୍ଦ୍ର ଖୁଣ୍ଟିଆ, ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ରତ୍ନାପ୍ରଭା ଆଚାର୍ଯ୍ୟ, ଆଇସିୟୁ ଡାକ୍ତର ଉଦୟ ରଞ୍ଜନ ଦାଶ ଓ କର୍ମଚାରୀ ନୀଳମଣି ସାହୁ ପ୍ରମୁଖ ବୀରବରପୁର ଗ୍ରାମରେ ପହଞ୍ଚତ୍ ଗୋବିନ୍ଦଙ୍କ ଘରୁ ଖାଦ୍ୟ ନମୁନା ସଂଗ୍ରହ କରିବା ସହ ପାରିପାର୍ଶ୍ୱିକସ୍ଥିତି ଯାଞ୍ଚ କରିଛନ୍ତି। ଏହି ସମୟରେ ଘଟଣାସ୍ଥଳରେ ବଡ଼ମ୍ବା ଥାନା ଓ ମାଣିଆବନ୍ଧ ଫାଣ୍ଡି ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ଅପରପକ୍ଷରେ ଅପରାହ୍ନରେ କଟକରୁ ରୁନୁବାଳାଙ୍କ ମୃତଦେହ ଗଁାକୁ ଅଣାଯିବା ପରେ ଗ୍ରାମବାସୀଙ୍କ ସହଯୋଗରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଝିଅ ଓ ପୁଅଙ୍କ ଜୁଇରୁ ନିଆଁ ଲିଭି ନ ଥିବା ବେଳେ ମା’ର ଜୁଇ ଜଳିବା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ସୂଚନାଥାଉ କି, ଗୋବିନ୍ଦଙ୍କ ପରିବାର ଲୋକେ ଗୁରୁବାର ରାତିରେ ଘରେ ତିଆରି କରିଥିବା ଚାଟ୍‌ ସହ ଆଉ କିଛି ଖାଦ୍ୟ ମଧ୍ୟ ଖାଇଥିଲେ। ଏହା ବିଷାକ୍ତ ହୋଇଯିବା ଯୋଗୁ ପ୍ରଥମେ ପୁଅ, ଝିଅ ଏବଂ ପରେ ମା’ବାପାଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଏନେଇ ସେମାନେ ପ୍ରଥମେ ମାଣିଆବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ରୁନୁବାଳା ଓ ଗୋବିନ୍ଦ କଟକ ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ୨ ପିଲାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଉଭୟ ପିଲାଙ୍କ ମୃତ୍ୟୁ ପରେ ଗୁରୁତର ଥିବା ମା’ ବାପାଙ୍କୁ ସିଟି ହସ୍ପିଟାଲରୁ ଜଗତ୍‌ପୁରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।