ବନ୍ୟା ପରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ୯ ଜଣଙ୍କ ଜୀବନ ଗଲାଣି

ଇସଲାମାବାଦ,୧୫ା୯: ପାକିସ୍ତାନରେ ପ୍ରବଳ ବନ୍ୟା ପରେ ବର୍ତ୍ତମାନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଇଛି। ରୋଗୀଙ୍କ ସଂଖ୍ୟା ଏତେ ଅଧିକ ଯେ, ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପାକିସ୍ତାନ ବନ୍ୟା ପରି ବିପର୍ଯ୍ୟୟ ସମସ୍ୟାର ସମ୍ମୁଖୀନ ହେବା ପରେ ଡେଙ୍ଗୁ ବ୍ୟାପିବା ପ୍ରଶାସନକୁ ଆହୁରି ଅଡୁଆରେ ପକାଇଛି। ଏକ ରିପୋର୍ଟ ଅନୁଯାୟୀ, ଏବେ ବି ରିଲିଫ ଓ ଉଦ୍ଧାର ଜାରି ରହିଛି। ଡେଙ୍ଗୁ, ମ୍ୟାଲେରିଆ ଏବଂ ଭୟଙ୍କର ଗ୍ୟାଷ୍ଟ୍ରିକ୍‌ ସଂକ୍ରମଣ ବିଷୟରେ ଅଧିକାରୀମାନେ ଚେତାବନୀ ଦେଇଛନ୍ତି।

ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳ ମଧ୍ୟରୁ ସିନ୍ଧ ପ୍ରଦେଶର ସ୍ବାସ୍ଥ୍ୟ ଅଧିକାରୀମାନେ ପ୍ରାୟ ୩୮୩୦ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଥିବା ବେଳେ ଅତିକମରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପାକିସ୍ତାନ ମେଡିକାଲ ଆସୋସିଏସନର ସାଧାରଣ ସମ୍ପାଦକ ଅବଦୁଲ ଗଫର ଶୋରୋ କହିଛନ୍ତି, ସିନ୍ଧର ଅବସ୍ଥା ଅତ୍ୟନ୍ତ ଖରାପ, ଆମେ ସମଗ୍ର ପ୍ରଦେଶରେ ମେଡିକାଲ କ୍ୟାମ୍ପ ଆୟୋଜନ କରୁଛୁ।

Share