ଡେଙ୍ଗୁ ରୋଗୀ ଚିହ୍ନଟ ପରେ ବଢ଼ିଲା ଚିନ୍ତା

ଅନୁଗୋଳ,୪ା୮(ଅମିତ କୁମାର ସାମଲ): ଅନୁଗୋଳରେ ୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ସହରର ଅନେକ ଲୋକ ଚିନ୍ତାରେ ପଡ଼ିଛନ୍ତି। ଅତୀତରେ ସେମାନେ ଡେଙ୍ଗୁର ଭୟାବହତା ଦେଖିଥିବାରୁ କିପରି ଏହା କବଳରୁ ସୁରକ୍ଷିତ ରହିବେ ସେ ନେଇ ବ୍ୟସ୍ତ ହୋଇପଡ଼ିଛନ୍ତି। ହେଲେ ଜିଲା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କେବଳ ବୈଠକ କରି ସଚେତନ କରାଯିବା ବ୍ୟତୀତ ଅନ୍ୟ କିଛି କାର୍ଯ୍ୟପନ୍ଥା ଆପଣାଯାଉ ନ ଥିବା ସହରବାସୀ ଅଭିଯୋଗ କରୁଛନ୍ତି। ମେଡିକାଲ ପରିସର ଠାରୁ ଆରମ୍ଭ କରି ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଡେଙ୍ଗୁର ଭୟ ଘାରୁଥିବା ସେମାନେ କହିଛନ୍ତି।
ସହରବାସୀଙ୍କ କହିବା ଅନୁଯାୟୀ, ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ଜିଲାରେ ଡେଙ୍ଗୁ ଭୟାବହ ପରିସ୍ଥିତି ସୃଷ୍ଟି କରିଥିଲା। କିନ୍ତୁ ଚଳିତବର୍ଷ ଡେଙ୍ଗୁ ନିରାକରଣ ନେଇ ଯେଭଳି ପଦକ୍ଷେପ ନିଆଯିବା କଥା ତାହା ହେଉନାହିଁ। ଡାକ୍ତରଖାନା ପଛପଟେ କୁଢ଼ କୁଢ଼ ଅଳିଆ ଗଦା ହୋଇ ହୋଇଛି। ଖାଲଖମାରେ ପାଣି ଜମି ରହୁଛି। ସହର ଭିତରେ ମଶା ତେଲ ପଡୁନାହିଁ। ପଇଡ଼ ଖୋଳ, ଅବ୍ୟବହୃତ ଟାୟାର ଏଣେତେଣେ ପଡ଼ି ରହିଥିବା ମଧ୍ୟ ତାହାକୁ ସଫା କରାଯିବା ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ସହର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଆବର୍ଜନା ଗଦା ହୋଇଥିଲେ ବି ସ୍ବାସ୍ଥ୍ୟ ବିଭାଗ କେବଳ ଚିଠି ଲେଖିଦେଇ କାର୍ଯ୍ୟ ସାରିଦେଇଛି। ପୌରପାଳିକା କି ଜନସ୍ବାସ୍ଥ୍ୟ ବିଭାଗ ମଧ୍ୟ ପଦକ୍ଷେପ ନେଉନାହିଁ। କମିଟି ଗଠନ କରାଯାଇ ଅମାନିଆ ଫଳ ବ୍ୟବସାୟୀ, ଟାୟାର ମରାମତି ଦୋକାନ ଓ ବିଭିନ୍ନ ସ୍ଥାନରେ ପରିମଳ ବ୍ୟବସ୍ଥାକୁ ବିପର୍ଯ୍ୟୟ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏ ସମ୍ପର୍କରେ ମେଡିକାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମେଡିକାଲ ପରିସରରେ ପରିମଳ ବ୍ୟବସ୍ଥା ସମ୍ପର୍କରେ ଏଡିଏମ୍‌ଓ(ମେଡିକାଲ) ଓ ପରିଚାଳକ ଧ୍ୟାନ ଦେବା କଥା। କିନ୍ତୁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଘର ନିକଟରୁ ଆରମ୍ଭ କରି ଡାକ୍ତର ଓ କର୍ମଚାରୀଙ୍କ କ୍ବାର୍ଟର୍ସ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଆବର୍ଜନା ଗଦା ହୋଇ ଡମ୍ପିଂୟାର୍ଡର ଭ୍ରମ ସୃଷ୍ଟି କରୁଛି। କିନ୍ତୁ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏଡିଏମ୍‌ଓ(ଜନସ୍ବାସ୍ଥ୍ୟ) ଡାକ୍ତର ଧନଞ୍ଜୟ ବେହେରା କହିଛନ୍ତି, ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। କିନ୍ତୁ କେତେଜଣ ଫଳ ବ୍ୟବସାୟୀ ଏହାକୁ ଅମାନ୍ୟ କରୁଥିବା ଖବର ଆସିଛି। ଉକ୍ତ ଦୋକାନଗୁଡ଼ିକ ସିଲ୍‌ କରାଯିବ।