Categories: ଜାତୀୟ

ବିହାର ପରାଜୟକୁ ନେଇ ମହାମେଣ୍ଟରେ ମହାଭାରତ

ପାଟନା,୧୬ ।୧୧: ବିହାରରେ ଗୋଟିଏ ପଟେ ଏନ୍‌ଡିଏ ସରକାର ଗଠନ କରିବାକୁ ଯାଉଥିବା ବେଳେ ଅନ୍ୟପଟେ ପରାଜୟକୁ ନେଇ ମହାମେଣ୍ଟ ମଧ୍ୟରେ ମହାଭାରତ ଦେଖିବାକୁ ମିଳିଛି । ବିଧାନସଭା ନିର୍ବାଚନର ପରାଜୟକୁ ନେଇ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) କହିଛି କଂଗ୍ରେସ ପାଇଁ ମହାମେଣ୍ଟ ପରାଜିତ ହୋଇଛି । ଆର୍‌ଜେଡି ନେତା ଶିବାନନ୍ଦ ତିୱାରି କହିଛନ୍ତି ବିହାର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପିକ୍‌ନିକ୍ କରୁଥିଲେ । ଆଉ ତିୱାରିଙ୍କ ଏହି ବୟାନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ବ୍ୟଙ୍ଗ କରୁଥିବା କୁହାଯାଉଛି । ସୂଚନାଯୋଗ୍ୟ, ଶିବାନନ୍ଦଙ୍କର ଏକ ଭିଡିଓରେ ସେ କହୁଛନ୍ତି ଯେତେବେଳେ ବିହାର ବିଧାନସଭା ନିର୍ବାଚନ ଶେଷ ସମୟରେ ଉପନିତ ହୋଇଥିଲା ସେତେବେଳେ ରାହୁଲ ଗାନ୍ଧୀ ଭଉଣୀ ପ୍ରିୟଙ୍କାଙ୍କ ସହ ସିମ୍‌ଲାରେ ପିକ୍‌ନିକ୍ କରୁଥିଲେ । ଏମିତି କ’ଣ ଦଳ ଚାଲେ? କଂଗ୍ରେସ ଯେଉଁଭଳି ଭାବେ ନିର୍ବାଚନ ଲଢୁଛି ଏଥିରେ ଭାଜପାକୁ ଲାଭ ମିଳୁଛି । ଏହାକୁ ନେଇ ଭାଜପା ନେତା ଗିରିରାଜ ସିଂ କହିଛନ୍ତି, ଆର୍‌ଜେଡି ନେତା କହୁଛନ୍ତି ରାହୁଲ ନନ୍ ସିରିୟସ ରାଜନେତା, ତେବେ ଶିବାନନ୍ଦ ତିୱାରିତ ରାହୁଲଙ୍କୁ ଓବାମାଙ୍କଠାରୁ ଅଧିକ ଜାଣିଛନ୍ତି, ତା’ହେଲେ କଂଗ୍ରେସ ହାରୁଛି କାହିଁକି ।

Share