ଦୁର୍ଘଟଣା ପରେ ଶେଯରେ କମଳ, ସହାୟତା ଅପେକ୍ଷାରେ କଟୁଛି ଦିନ

ଡାବୁଗାଁ,୩୧।୧୨ (ପ୍ରଜ୍ଞାରଞ୍ଜନ ପରିଡ଼ା)ଧକ୍କାଦେଲା ଗାଡ଼ି। ଅର୍ଥ ଅଭାବରୁ ଆହତ ହୋଇ ଦେଶୀ ଚିକିତ୍ସା ଉପରେ ନିର୍ଭରକଲେ। ଏହା ମଧ୍ୟରେ ମାସେ ବିତିଯାଇଥିଲେ ମଧ୍ୟ ଶେଯରୁ ଉଠିପାରୁନାହାନ୍ତି ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଘୋଡ଼ାଖୁଣ୍ଟା ପଞ୍ଚାୟତ ମୁଣ୍ଡିଗୁଡ଼ା ଗ୍ରାମରେ କମଳଚାନ୍ଦ ଓଡ଼। ପିଲା ୪ଜଣ, ସ୍ତ୍ରୀଙ୍କୁ ନେଇ କମଳଙ୍କ ୬ପ୍ରାଣୀ କୁଟୁମ୍ବ। ଜମିବାଡି ନାହିଁ, ମୂଲ ଲାଗିଲେ ପରିବାର ଚଳେ। ଘରଲୋକ ଏବେ ବେଳେ ଖାଇଲେ ବେଳେ ଓପାସ। ଶେଯରେ ପଡ଼ି ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି କମଳଚାନ୍ଦ।
ନଭେମ୍ବର ୧୨ ସା ୭ଟା। ସବୁଦିନ ଭଳି କମଳ ବାହାରକୁ ଯାଇ ଶୌଚ ହୋଇ ଘରକୁ ଫେରୁଥିଲେ। ସେଦିନ ଫେରିବାବେଳେ ଆମ୍ବତୋଟା ପାଖରେ କମଳଙ୍କୁ ଡଙ୍ଗରା ଗ୍ରାମର ଭାସ୍କର ଭତ୍ରା ଓ କୁମର ଭତ୍ରା ନେଇ ଯାଉଥିବା ବାଇକ (ଓଡି୨୪ଡି-୦୨୨୫) ଧକ୍କା ଦେଇଥିଲା। ଏହାପରେ ସେମାନେ ଘଟଣାସ୍ଥଳରୁ ପଳାଇଥିଲେ। ଶୁକୃ ଓଡ଼ ଓ ସୋନୁ ଓଡ଼ କମଳଙ୍କୁ ଉଦ୍ଧାରକରି ଡାବୁଗାଁ, ନବରଙ୍ଗପୁର ଓ କୋରାପୁଟ ନେଇ ନିଜ ହାତରୁ ଖର୍ଚ୍ଚକରି ଚିକିତ୍ସା କରାଇଥିଲେ। କୋରାପୁଟ ଡାକ୍ତରଖାନାରେ କମଳଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଯିବାକୁ ପରମର୍ଶ ଦିଆଯାଇଥିଲା। ହେଲେ ମୂଲ ଲାଗି ଚଳୁଥିବା କମଳ ଟଙ୍କା ନ ଥିବାରୁ ସେଠାକୁ ନ ଯାଇ ଘରକୁ ଫେରି ଆସିଥିଲେ। ସେଠାରୁ ଆସି ଦେଶୀ ଔଷଧ ଚିକିତ୍ସା କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ସେ ଶେଯରୁ ଉଠି ପାରୁନାହାନ୍ତି। ବାଇକ୍‌ଟି ଉକ୍ତ ଗ୍ରାମର ୯ ନମ୍ବର ୱାର୍ଡସଭ୍ୟ କୃଷ୍ଣ ଭତ୍ରାଙ୍କ ଜିମାରେ ରଖି ଥିଲେ, ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିଙ୍କ ଘରକୁ ୱାର୍ଡ ସଭ୍ୟ ସମାଧାନ ନିମନ୍ତେ ଯାଇ ଥିଲେ। କିନ୍ତୁ କମଳଙ୍କ ଚିକିତ୍ସା ନିମନ୍ତେ କୌଣସି ଖର୍ଚ୍ଚ କରିବା ପାଇଁ ଦେଇ ନ ଥିଲେ। ଏ ନେଇ ନଭେମ୍ବର ୧୪ରେ ସୁନା ଓଡ, ଧନପତି ଓଡ, ଡମ୍ବରୁ ପନକା ଓ ରାମ ସିଂ ଓଡ ପ୍ରମୁଖ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ପୋଲିସ ଉକ୍ତ ଗ୍ରାମକୁ ଯାଇ ବାଇକ ଆଣି ଥାନାରେ ରଖି କେସ୍‌ ନଂ. ୨୫୦/୩୩ରେ ମାମଲା ରୁଜୁକରି କାମ ସାରିଦେଲା। କମଳ ଦୁର୍ଘଟଣାର ଶିକାର ହୋଇ ଘରେ ପଙ୍ଗୁ ହୋଇ ପଡ଼ିରହିଲେ। ପଇସା ଆସିବ କେଉଁଠୁ। କେମିତି ପିଲାଙ୍କ ପେଟକୁ ଦାନା ଦେବେ, ନିଜର ଚିକିତ୍ସା ଖର୍ଚ୍ଚ ଉଠାଇବେ ନା କେସ୍‌ ଲଢ଼ିବେ। ଏହା ଭାବିଭାବି ଚିନ୍ତାରେ କମଳ। ଏ ନେଇ ସେ ପ୍ରଶାସନକୁ ସହାୟତା ଦେବାକୁ ନିବେଦନ କରିଛନ୍ତି। କମଳଙ୍କୁ ଚିକତ୍ସା ଖର୍ଚ୍ଚ ଓ ପରିବାରକୁ ସହାୟତା ଯୋଗାଇ ଦେବାକୁ ୱାର୍ଡ ସଭ୍ୟ ଓ ଗ୍ରାମବାସୀ ଦାବି କରିଛନ୍ତି।