‘ମେମୋରିଆଲାଇଜ୍ଡ’ ହେଲା ଅଭିନେତା ଇରଫାନ୍‌ଙ୍କ ଆକାଉଣ୍ଟ

ବମ୍ବେ: ନୂତନ ବର୍ଷ ନୂଆ ଉଦ୍ଦିପନା ନେଇ ଆସେ। ଅନେକ ନୂଆ ବର୍ଷକୁ ନେଇ ନାନାଦି ଯୋଜନା କରିଥାନ୍ତି। ହେଲେ ଚଳିତ ୨୦୨୦ ଅନେକ କିଛିକୁ ନେଇ ସ୍ମରଣୀୟ ରହିବ। କରୋନାର କାୟାଠାରୁ ଆରମ୍ଭ କରି ଅନେକ ବଲିଉଡ୍‌ କଳାକାର ବିଗତ ୬ ମାସ ମଧ୍ୟରେ ଆଖି ବୁଜି ସାରିଲେଣି। ଏହି କ୍ଷତ ଭରିବାକୁ ଅନେକ ସମୟ ଲାଗିବ ବୋଲି ଚର୍ଚ୍ଚା ହେଉଛି।

ବଲିଉଡ୍‌ର ସମସ୍ତ କଳାକାରଙ୍କ ମଧ୍ୟରୁ ପ୍ରଶଂସକଙ୍କୁ ଚକିତ କରିଛି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନିଧନ। ସେ ଆତ୍ମହତ୍ୟା କରିଥିବା ଏବେ ବି ପ୍ରଶଂସକ ଗ୍ରହଣ କରିପାରୁନାହାନ୍ତି। ପ୍ରଶଂସକଙ୍କ ଭଲପାଇବାକୁ ଦୃଷ୍ଟିରେ ରଖି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମ ପକ୍ଷରୁ ସୁଶାନ୍ତଙ୍କ ଆକାଉଣ୍ଟକୁ ମେମୋରିଆଲାଇଜ୍ଡ କରାଯାଇଥିଲା। ଏବେ ‘ଅଂଗ୍ରେଜୀ ମିଡିୟମ’ ଅଭିନେତା ଇରଫାନ୍‌ ଖାନଙ୍କୁ ମଧ୍ୟ ଏହି ସମ୍ମାନ ଦିଆଯାଇଛି। ଇରଫାନ୍‌ଙ୍କ ଇନ୍‌ଷ୍ଟା ଆକାଉଣ୍ଟ ବାୟୋରେ ରିମେମ୍ବରିଂ ଟ୍ୟାଗ୍‌ ଲଗାଯାଇଛି। ଫଳରେ ସ୍ବତଃପ୍ରବୃତ ଭାବେ ତାଙ୍କ ଆକାଉଣ୍ଟ ମେମୋରିଆଲାଇଜ୍ଡ ହୋଇଛି।

ଦୀର୍ଘ ଦିନ ଧରି କ୍ୟାନ୍‌ସର ସହ ଲଢ଼ିବା ପରେ ଏପ୍ରିଲ ୨୯ ତାରିଖରେ ଇରଫାନଙ୍କ ନିଧନ ହୋଇଥିଲା। ଏହାପରେ ପୁଅ ବାବିଲ୍‌ ଏବଂ ସ୍ତ୍ରୀ ସୁତପ୍ତା ସିକ୍‌ଦାର ଅନେକ ଫଟୋ ଏବଂ ଭିଡିଓ ପୋଷ୍ଟ କରି ଇରଫାନ୍‌ଙ୍କୁ ମନେ ପକାଉଥିଲେ। ଏବେ ତାଙ୍କୁ ସମ୍ମାନ ଜଣାଇ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟକୁ ମେମୋରିଆଲାଇଜ୍ଡ କରିଛି।

Share