କରୋନାକୁ ହରାଇବା ପରେ ଗରିବଙ୍କ ପାଇଁ ଅଫିସକୁ ହସ୍ପିଟାଲ କଲେ ବ୍ୟବସାୟୀ

କରୋନାକୁ ନେଇ ଲୋକେ ଏବେ ଚିନ୍ତାରେ। ତେବେ ତା’ଠାରୁ ଅଧିକ ଚିନ୍ତା ଚିକିତ୍ସାକୁ ନେଇ। କାରଣ କରୋନାରେ ଆକ୍ରାନ୍ତ ହେଲେ ସରକାରୀ ହସ୍ପିଟାଲରେ ବେଡ୍‌ ମିଳୁ ନାହିଁ। ପ୍ରାଇଭେଟ୍‌ ହସ୍ପିଟାଲରେ ଅର୍ଥ ବାଧକ ସାଜୁଛି। ତେଣୁ ସାଧାରଣ ଲୋକ ଡରିଯାଉଛନ୍ତି। ସୁରଟର ଜଣେ ବ୍ୟବସାୟୀ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ଅନ୍ୟମାନଙ୍କ ପାଇଁ ଦେବଦୁତ ସାଜିଛନ୍ତି। ସେ ଗରିବଙ୍କ ପାଇଁ ଏକ ହସ୍ପିିଟାଲ ଖୋଲି ମାଗଣାରେ ଚିକିତ୍ସା ଯୋଗାଇ ଦେଉଛନ୍ତି।
ସେ ହେଲେ ୬୩ ବର୍ଷୀୟ କାଦର ଶେଖ। କାଦର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଚିକିତ୍ସା ପାଇଁ ତାଙ୍କୁ ଏକ ପ୍ରାଇଭେଟ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ପରେ ସେ କରୋନାକୁ ହରାଇ ଘରକୁ ଫେରିଲେ। ମାତ୍ର ତାଙ୍କର ହସ୍ପିଟାଲ ବିଲ୍‌ ୧ ଲକ୍ଷରୁ ଅଧିକ ଆସିଲା। ଏହା ତାଙ୍କୁ ଏକ ଶିକ୍ଷା ଦେଇଥିଲା। ଗରିମାମାନଙ୍କ ବିଷୟରେ ସେ ଭାବିଲେ। ଶେଷରେ ଶେଖ ନିଜ ଅଫିସକୁ ହସ୍ପିିଟାଲରେ ପରିଣତ କଲେ। ୩୦ ହଜାର ସ୍କୋୟାରଫୁଟ୍‌ ଜମିରେ ୮୫ ଶର୍ଯ୍ୟା ବିଶିଷ୍ଟ ହସ୍ପିଟାଲ ଖୋଲିଲେ। ତେବେ ସବୁଠାରୁ ବଡ଼ କଥା ହେଲା ସେ ଏଠାରେ ଗରିବଙ୍କୁ ମାଗଣାରେ ଚିକିତ୍ସା ଯୋଗାଉଛନ୍ତି। ଏହି ହସ୍ପିଟାଲକୁ ସେ ନିଜ ବାପାଙ୍କ ନାମରେ ‘ହିବା ହସ୍ପିଟାଲ’ ରଖିଲେ। ଶେଖଙ୍କ ସହ ତାଙ୍କର ୩ ପୁଅ ହସ୍ପିଟାଲର ସମସ୍ତ କଥା ବୁଝାଶୁଝା କରୁଛନ୍ତି।

Share