ପାକିସ୍ତାନରୁ ଏନଓସି ମିଳିବା ପରେ ଭାରତ ଫେରିବେ ଅଞ୍ଜୁ

ପେଶାଓ୍ବର/ନୂଆଦିଲ୍ଲୀ,୨୯।୧୦: ଦୁଇଟି ସନ୍ତାନର ଜନନି ୩୪ ବର୍ଷୀୟା ଭାରତୀୟ ମହିଳା ପାକିସ୍ତାନ ସରକାରଙ୍କଠାରୁ କ୍ଲିୟରାନ୍ସ ପାଇବା ପରେ ଭାରତ ଫେରିବେ। ରାଜସ୍ଥାନର ବାସିନ୍ଦା ଅଞ୍ଜୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ସାକ୍ଷାତ କରିଥିବା ଜଣେ ବନ୍ଧୁଙ୍କୁ ବିବାହ କରିବା ପାଇଁ ଖାଇବର ପାଖତନଖ୍ବାସ୍ଥିତ ଏକ ଦୂର ଗ୍ରାମକୁ ଯାଇଥିଲେ। ଏହା ପରେ ଅଗଷ୍ଟରେ ପାକିସ୍ତାନ ଅଞ୍ଜୁଙ୍କ ଭିସାକୁ ଏକ ବର୍ଷ ପର୍ଯ୍ୟନ୍ତ ବଢାଇ ଦେଇଥିଲା। ଅଞ୍ଜୁ ମଧ୍ୟ ଇସଲାମ ଧର୍ମ ଗ୍ରହଣ କରିଥିଲେ। ନାସରୁଲ୍ଲାଙ୍କ ସହ ବିବାହ ପରେ ଅଞ୍ଜୁ ତାଙ୍କ ନାମ ଫାତିମାକୁ ବଦଳାଇଥିଲେ।

ଅଞ୍ଜୁଙ୍କ ପାକିସ୍ତାନୀ ସ୍ବାମୀ କହିଛନ୍ତି ଯେ ଆମେ ଇସଲାମାବାଦର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟରୁ ଏନଓସି (No Objection Certificate) କୁ ଅପେକ୍ଷା କରିଛୁ। ଆମେ ଏହା ପାଇଁ ଆବେଦନ କରିସାରିଛୁ । ଏହି ପ୍ରକ୍ରିୟା ଟିକେ ଲମ୍ବା ଏବଂ ସମ୍ପୂର୍ଣ୍ଣ ହେବାକୁ ସମୟ ନେଇଥାଏ।
ୱାଘା ସୀମାରୁ ବାହାରିବା ଏବଂ ଫେରିବା ପାଇଁ ଦଲିଲ ସମାପ୍ତ ହେବା ମାତ୍ରେ ଅଞ୍ଜୁ ଭାରତ ଯାତ୍ରା କରିବେ ବୋଲି ସେ ସୂଚନା ଦେଇଛନ୍ତି। ସେ ଭାରତରେ ନିଜ ପିଲାମାନଙ୍କୁ ଭେଟିବା ପରେ ପାକିସ୍ତାନ ଫେରିବେ। ପାକିସ୍ତାନ ବର୍ତ୍ତମାନ ତାଙ୍କ ଘର ହୋଇଥିବାରୁ ସେ ନିଶ୍ଚିତ ଭାବେ ଫେରିବେ ବୋଲି ସେ କହିଛନ୍ତି।

Share