Categories: ଜାତୀୟ

ରାମ ମନ୍ଦିର ପରେ ଅଯୋଧ୍ୟାକୁ ମିଳିବ ମସଜିଦ, ଜାଣନ୍ତୁ କେବେ ହେବ ପ୍ରତିଷ୍ଠା

ଅଯୋଧ୍ୟା,୨୧।୧: ଜାନୁଆରୀ ୨୨ ଅର୍ଥାତ୍‌ ସୋମବାର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦ୍‌ଘାଟନ ହେବାକୁ ଯାଉଛି। ରାମ ମନ୍ଦିର ବିବାଦୀୟ ଭୂମିକୁ ନେଇ ୨୦୧୯ରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ। ରାୟବେଳେ ଅଯୋଧ୍ୟାରେ ରାମ ମନ୍ଦିର ସହ ମସଜିଦ ନିର୍ମାଣ ପାଇଁ ଭୂମି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଅଯୋଧ୍ୟା ସହର ଠାରୁ ପ୍ରାୟ ୨୫କିମି ଦୂର ଧତ୍ରୀପୁର ନାମକ ଗାଁରେ ମସଜିଦ ନିର୍ମାଣ ପାଇଁ ୫ଏକର ଯାଗା ଚିହ୍ନଟ ହୋଇଥିଲା। କିନ୍ତୁ ଏବେ ଯାଏଁ ସେଠାରେ ମସଜିଦ ନିର୍ମାଣ ଆରମ୍ଭ ହୋଇନାହିଁ। ନିର୍ମାଣକୁ ନେଇ ବିଳମ୍ବ ଦେଖାଯିବାରୁ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବାବ୍ରି ମସଜିଦର ପକ୍ଷ ରଖିଥିବା ଇକବାଲ ଅନସାରୀ ଓ୍ବାର୍କ ବୋର୍ଡ ଉପରେ ଅସନ୍ତୋଷ ଝାଡିଛନ୍ତି।

କହିରଖୁଛୁ କି, ଓ୍ବାର୍କ ବୋର୍ଡ ମସଜିଦ ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରିଥିଲା। ଯାହାର ନାଁ ଇଣ୍ଡୋ ଇସଲାମିକ କଲଚରାଲ ଫାଉଣ୍ଡେଶନ। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମନୁଯାୟୀ, ଟ୍ରଷ୍ଟର ବିକାଶ କମିଟିର ମୁଖ୍ୟ ହାଜେ ଅରଫାତ ଶେଖ କହିଛନ୍ତି, ଚଳିତ ବର୍ଷ ମଇରେ ମସଜିଦ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରମଜାନ ପରେ ମସଜିଦ ନିର୍ମାଣ ଆରମ୍ଭ ହେବ ଏବଂ କାମ ସରିବା ପାଇଁ ୩-୪ବର୍ଷ ସମୟ ଲାଗିବ।

ସୂଚନା ମୁତାବକ, ମୁସଲିମ ସମୁଦାୟ ମସଜିଦ ନିର୍ମାଣ ପାଇଁ ଫଣ୍ଡ କମ୍‌ ଥିବା ସମସ୍ୟାରେ ଜୁଝୁଛନ୍ତି। ଆଇଆଇସିଏଫ ଅଧ୍ୟକ୍ଷ ଜୁଫାର ଅହମ୍ମଦ କହିଛନ୍ତି, ମସଜିଦ ପାଇଁ କୌଣସି ଜନ ଆନ୍ଦୋଳନ ହେଉନାହିଁ ଯାହାଯୋଗୁ ନିର୍ମାଣ ପାଇଁ କାହାର ଆନ୍ତରିକତା ଦେଖାଯାଉ ନାହିଁ।

ଏହି ନୂଆ ମସଜିଦର ନାଁ ମଧ୍ୟ ଚୂଡାନ୍ତ ହୋଇଛି। ଏହାର ନାଁ ମସଜିଦ ମୁହମ୍ମଦ ବିନ ଅବଦୁଲ୍ଲାହ ରହିଛି। ପେଗାମ୍ବର ମହମ୍ମଦଙ୍କ ନାଁରେ ଏହି ମସଜିଦ ପିର୍ମାଣ ହେଉଛି। ଯେଉଁଠି କି ବାବ୍ରି ମସଜିଦର ନାମ ମୋଗଲ ବାବରଙ୍କ ନାଁରେ ଥିଲା।

Share