Categories: ଜାତୀୟ

ପ୍ରିୟଙ୍କାଙ୍କ ପରେ ଥରୁର ସଂସଦ ଟିଭି ଶୋ’ରୁ ଓହରିଲେ

ନୂଆଦିଲ୍ଲୀ,୬।୧୨: ଶିବସେନା ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀଙ୍କ ପରେ କଂଗ୍ରେସ ଏମ୍‌ପି ଶଶି ଥରୁରୁ ସଂସଦ ଟିଭି ହୋଷ୍ଠ ପଦବୀରୁ ଓହରି ଯାଇଛନ୍ତି। ଟକ ଶୋ’ ‘ଟୁ ଦି ପଏଣ୍ଟ’ହୋଷ୍ଟ ପଦବୀରୁ ସେ ସୋମବାର ଇସ୍ତଫା ଦେଇଥିବା ନେଇ ଘୋଷଣା କରିଛନ୍ତି। ରାଜ୍ୟ ସଭାରୁ ନିଲମ୍ବିତ ହୋଇଥିବା ୧୨ଜଣ ବିରୋଧୀ ଏମ୍‌ପିଙ୍କ ପ୍ରତି ସମର୍ଥନ ଜଣାଇ ଥରୁର୍‌ ଏଭଳି ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ ଏମ୍‌ପିଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବା ଓ ସଂସଦର ପ୍ରକ୍ରିୟାରେ ସମସ୍ତ ପକ୍ଷର ଶୁଣାଣି ନ ହେବା ପର୍ଯ୍ୟନ୍ତ ସେ ତାଙ୍କ ଶୋ’ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ‘ସଂସଦ ଟିଭି’ କାର୍ଯ୍ୟକ୍ରମ ଉପସ୍ଥାପନ କରିବା ଅର୍ଥ ଅଗଣତାନ୍ତ୍ରିକ କାର୍ଯ୍ୟକଳାପକୁ ସମର୍ଥନ କରିବା ସହ ସମାନ ହେବ ବୋଲି ଥରୁର କହିଛନ୍ତି।
ସୂଚନାଯୋଗ୍ୟ, ମୌସୁମୀ ଅଧିବେଶନରେ ବିରୋଧ ଆଚରଣ ଯୋଗୁ ନଭେମ୍ବର ୨୯ରେ ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭାର ୧୨ଜଣ ବିରୋଧୀ ଏମ୍‌ପିଙ୍କୁ ନିଲମ୍ବନ କରାଯାଇଥିଲା। ଏହାକୁ ନେଇ ସଂସଦରେ ଜୋରଦାର ହଙ୍ଗାମା ଜାରି ରହିଛି। ସେପଟେ ଥରୁରଙ୍କ ପୂର୍ବରୁ ନିଲମ୍ବନକୁ ବିରୋଧ କରି ଶିବସେନା ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ‘ସଂସଦ ଟିଭି’ର ‘ମେରି କହାନୀ’ର ଉପସ୍ଥାପିକା ପଦରୁ ଇସ୍ତଫା ଦେଇଥିଲେ।

Share