Categories: ଜାତୀୟ

ଶରଦ ପାଓ୍ବାରଙ୍କ ବୟାନ ପରେ କଂଗ୍ରେସକୁ ଟାର୍ଗେଟ୍‌ କଲା ଭାଜପା

ନୂଆଦିଲ୍ଲୀ,୮।୪: ଏନ୍‌ସିପି ମୁଖ୍ୟ ଶରଦ ପାୱାର ଆଦାନୀ ଗ୍ରୁପ ବିବାଦ ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି। ବିରୋଧୀ ଦାବି କରୁଥିବା ଯୁଗ୍ମ ସଂସଦୀୟ କମିଟି(ଜେପିସି) ତଦନ୍ତ ଦାବିକୁ ଏନସିପି ମୁଖ୍ୟ ଶରଦ ପାୱାର ଗ୍ରହଣ କରି ନାହାନ୍ତି। ପାୱାରଙ୍କ ଏପରି ମନ୍ତବ୍ୟ ପରେ ଭାଜପା ପ୍ରତିକ୍ରିୟା ରଖିଛି। ଏଥିସହ ରାହୁଲ ଗାନ୍ଧୀଙ୍କ ଚିନ୍ତାଧାରାକୁ କଂଗ୍ରେସ ସହଯୋଗୀ ଅସ୍ବୀକାର କରିଛି ବୋଲି ଭାଜପା ପକ୍ଷରୁ କୁହାଯାଇଛି।

ଭାଜପା ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି, ସୁପ୍ରିମକୋର୍ଟ ଆଦାନୀ ପ୍ରସଙ୍ଗରେ ତଦନ୍ତ ପାଇଁ କମିଟି ଗଠନ କରିଛନ୍ତି। ଏହା ପରେ ମଧ୍ୟ ବିରୋଧୀ ଜେପିସି ତଦନ୍ତ ଦାବି ଅଯୁକ୍ତିକର ବୋଲି ସେ ପ୍ରକାଶ କରିଛନ୍ତି। ଏପରିକି ସବରକର ପ୍ରସଙ୍ଗରେ ଉଦ୍ଧବ ଗୋଷ୍ଠୀ ରାହୁଲ ଗାନ୍ଧୀଙ୍କ ସହ ଏକମତ ହୋଇ ନ ଥିଲେ। ଶରଦ ପାଓ୍ବାରଙ୍କ ମନ୍ତବ୍ୟ ପରେ ବିରୋଧୀଙ୍କୁ ଏକ ପ୍ରକାର ଝଟକା ସଦୃଶ ହୋଇଛି। ଏହା ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଏନ୍‌ସିପିର ଏହା ନିଜସ୍ବ ମତ ହୋଇପାରେ। ହେଲେ ୧୯ ବିରୋଧୀ ଦଳ ଭଲ ଭାବେ ଜାଣିଛନ୍ତି ପ୍ରଧାନମନ୍ତ୍ରୀ ଏବଂ ଆଦାନୀଙ୍କ ମଧ୍ୟରେ ଥିବା ସମ୍ପର୍କ।

Share