ବହୁ ପ୍ରତୀକ୍ଷା ପରେ ୫୦୬ ଏକର ସିଲିଂ ଜମିକୁ ନିଜ ଦଖଲକୁ ନେଲେ ଜିଲା ପ୍ରଶାସନ

ରାୟଗଡ଼ା,୨୧/୧(ସ୍ୱ.ପ୍ର.)- ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରହିଥିବା ୫୦୬ ଏକର ସିଲିଂ ଜମି ନିଜ କବଜାକୁ ନେଲା ପ୍ରଶାସନ। ବନ୍ଦ ପଡ଼ିଥିବା ଜେଏସକୋ କାରଖାନା ଅଧିନରେ ରହିଥିବା ଏହି ଜମି ଆଜି ନିଜ ଅଧିନକୁ ଆଣିଛି ପ୍ରଶାସନ। ଏଥିସହ ରାଜସ୍ୱ ବିଭାଗର ଜମି ରେକର୍ଡ ମଧ୍ୟ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ସମସ୍ତ ଜମି ରାୟଗଡ଼ା ତହସିଲ ରେକର୍ଡରେ ଅନ୍ତର୍ଭୁକ୍ତ ହୋଇଛି । ଦୀର୍ଘ ୪୮ ବର୍ଷ ହେବ ଏହି ଜମି ପାଇଁ ଦ୍ଵନ୍ଦ ଲାଗି ରହିଥିଲା। ୧୯୭୪ ମସିହାରେ ଚିନି କାରଖାନା ନିର୍ମାଣ ପାଇଁ ୭୮୭ ଏକର ଜମି ଅଧିଗ୍ରହଣ ହୋଇଥିଲା। ହେଲେ ସେଥିରୁ ଅଳ୍ପ କିଛି ଜମି ବ୍ୟବହାର କରି ଜେଏସକୋ କାରଖାନା ପ୍ରତିଷ୍ଠା କରିଥିଲା। ବଳକା ଜମିରେ କୌଣସି କାରଖାନା ନିର୍ମାଣ ନକରି ବିଭିନ୍ନ ବ୍ୟବସାୟୀକ ଚାଷ କରାଯାଉଥିଲା।

ଏହାକୁ ନେଇ ଜିଲା ପ୍ରଶାସନ ଅବଗତ କରିବା ପରେ ମଧ୍ୟ ଜମି ଛାଡି ନ ଥିଲା ଜେଏସକୋ। ଉଭୟ ଜେଏସକୋ ଏବଂ ଜିଲା ପ୍ରଶାସନ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ଓ ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ୫୦୬.୬୯ ଏକର ଜମି ବର୍ତ୍ତମାନ ତହସିଲ ରେକର୍ଡ ଅନ୍ତର୍ଭୁକ୍ତ ହୋଇଛି। ଏହା ରାୟଗଡ଼ା ଜିଲା ପାଇଁ ଏକ ଖୁସି ଖବର। ଜମି ଅଭାବରୁ ବିକାଶ କାର୍ଯ୍ୟ ବ୍ୟାଘାତ ହେଉଥିଲା। ଏହି ଜମି ଦଖଲ ପରେ ବର୍ତ୍ତମାନ ବିକାଶ ସମସ୍ୟା ଦୂର ହେବ। ଆଜି ଅତିରିକ୍ତ ଜିଲାପାଳ ସୋମନାଥ ପ୍ରଧାନ, ଉପଜିଲାପାଳ ଭୀମସେନ ଶବର, ତହସିଲଦାର ତାପସ ରାଉତ ଉପସ୍ଥିତ ରହି ସମସ୍ତ ଜମି ମାପଚୁପ କରିବା ସହିତ ଜିଲା ପ୍ରଶାସନ ଜମି ନିଜ ଦଖଲକୁ ନେଇଛନ୍ତି।