ମୋଦି-ସୁନକ ଭେଟ ପରେ ଭାରତୀୟଙ୍କ ପାଇଁ ୩୦୦୦ ଭିଜାକୁ ସବୁଜ ସଙ୍କେତ…

ବାଲି/ନୂଆଦିଲ୍ଲୀ,୧୬।୧୧ : ବ୍ରିଟେନରେ କାମ କରିବାକୁ ଚାହୁଁଥିବା ଭାରତୀୟଙ୍କ ପାଇଁ ଖୁସି ଖବର ସାମ୍ନାକୁ ଆସିଛି। ବ୍ରିଟେନରେ କାର୍ଯ୍ୟ କରିବା ପାଇଁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତୀୟ ଯୁବବର୍ଗ ବୃତ୍ତିଗତମାନଙ୍କୁ ପ୍ରତିବର୍ଷ ୩୦୦୦ ଭିଜା ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ୧୦ ଡାଉନିଙ୍ଗ ଷ୍ଟ୍ରିଟ ଅନୁଯାୟୀ, ଏହି ଯୋଜନା ୧୮ ରୁ ୩୦ ବର୍ଷ ବୟସର ଶିକ୍ଷିତ ଭାରତୀୟ ନାଗରିକମାନଙ୍କୁ ଏକ ବୃତ୍ତିଗତ ଏବଂ ସାଂସ୍କୃତିକ ବିନିମୟରେ ଅଂଶଗ୍ରହଣ କରିବାର ସୁଯୋଗ ପ୍ରଦାନ କରିବ।

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ ଭାରତ ହେଉଛି ପ୍ରଥମ ଦେଶ ଯାହାକି ଏହି ଭିଜ ଯୋଜନାରେ ଉପକୃତ ହେବ।

ବାଲିରେ ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ବ୍ରିଟେନର ପ୍ରତିପକ୍ଷ ଋଷି ସୁନକଙ୍କ ମଧ୍ୟରେ ସଂକ୍ଷିପ୍ତ ବୈଠକର କିଛି ଘଣ୍ଟା ପରେ ଏହା ନିଶ୍ଚିତ ହୋଇଛି। ଗତ ମାସରେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏହା ସୁନକଙ୍କ ପ୍ରଥମ ସାକ୍ଷାତ ଥିଲା। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ବୈଠକର ଫଟୋ ଶେୟାର କରି ପିଏମଓ ପକ୍ଷରୁ ଏକ ଟୁଇଟ କରାଯାଇଛି।

ବ୍ରିଟିଶ ପ୍ରଧାନମନ୍ତ୍ରୀ ସୁନକ ଏକ ବିବୃତ୍ତିରେ କହିଛନ୍ତି ଯେ ଆମର ସୁରକ୍ଷା ତଥା ଆମର ସମୃଦ୍ଧତା ପାଇଁ ଭାରତ-ପ୍ରଶାନ୍ତ ମହାସାଗରୀୟ ଦେଶ ଗୁରୁତ୍ୱପୂର୍ଣ୍ଣ ହୋଇପଡୁଛି। ଏହା ଗତିଶୀଳ ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିପୂର୍ଣ୍ଣ ଏବଂ ପରବର୍ତ୍ତୀ ଦଶନ୍ଧି ଏହି ଅଞ୍ଚଳରେ କ’ଣ ଘଟେ ତାହା ଦ୍ୱାରା ବ୍ୟାଖ୍ୟା କରାଯିବ। ସୁନାକ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଭାରତ ସହ ବ୍ରିଟେନର ଗଭୀର ସାଂସ୍କୃତିକ ତଥା ଐତିହାସିକ ସଂଯୋଗର ଅବିଶ୍ୱସନୀୟ ମୂଲ୍ୟ ସେ ନିଜେ ଜାଣିଛନ୍ତି। ସେ ଖୁସି ଯେ ଭାରତର ଯୁବବର୍ଗମାନେ ବର୍ତ୍ତମାନ ବ୍ରିଟେନରେ ଜୀବନ ଅନୁଭବ କରିବାର ସୁଯୋଗ ପାଇବେ, ଯାହା ଆମ ଅର୍ଥନୀତି ଏବଂ ସମାଜକୁ ସମୃଦ୍ଧ କରିବାରେ ସାହାଯ୍ୟ କରିବ ।

Share