Categories: ଜାତୀୟ

ମହାତ୍ମା ଗାନ୍ଧୀଙ୍କ ପରେ ନରେନ୍ଦ୍ର ମୋଦି ହିଁ ଲୋକଙ୍କ ଭାବନାକୁ ବୁଝିଛନ୍ତି: ରାଜନାଥ ସିଂ

ନୂଆଦିଲ୍ଲୀ,୩୦।୮: ମହାତ୍ମା ଗାନ୍ଧୀଙ୍କ ପରେ ନରେନ୍ଦ୍ର ମୋଦି ହେଉଛନ୍ତି ଏକମାତ୍ର ନେତା ଯିଏ ଲୋକଙ୍କ ଭାବନାକୁ ବୁଝନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଜଣାଶୁଣା ଖବରଦାତା ଅଜୟ ସିଂଙ୍କ ପୁସ୍ତକ ‘The Architect of the New BJP’ ରିଲିଜ ଅବସରରେ ସେ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବରେ କିପରି ଉଭା ହୋଇଛନ୍ତି ପ୍ରଶ୍ନରେ ରାଜନାଥ କହିଛନ୍ତି, ସାଂଗଠନିକ ଦକ୍ଷତା, ଜନସାଧାରଣଙ୍କ ଅସୁବିଧା ବିଷୟରେ ବୁଝିବା ମୋଦିଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇଛି। ଲୋକଙ୍କ ସହ ଜଡିତ ରୁହନ୍ତୁ, ସଫଳତା ଆପଣଙ୍କ ପାଦକୁ ସ୍ପର୍ଶ କରିବ- ଏହା ହେଉଛି ମୋଦିଙ୍କ ପ୍ରକୃତ ଉଦ୍ଦେଶ୍ୟ। ତାଙ୍କ ନିକଟରେ ଯେଉଁ ସାଂଗଠନିକ ଦକ୍ଷତା ଅଛି, ତାହା କିଛି ଇଶ୍ୱରୀୟ ଶକ୍ତି ବିନା ସମ୍ଭବ ନୁହେଁ। ‘ସବ୍‌କା ସାଥ୍‌-ସବ୍‌କା ବିକାଶ, ସବ୍‌କା ବିଶ୍ୱାସ-ସବ୍‌କା ପ୍ରୟାସ’ ମନ୍ତ୍ର ସହିତ ମୋଦି ଆଗକୁ ବଢୁଛନ୍ତି। ତାଙ୍କ ରଣନୈତିକ କୌଶଳର ବିକାଶ ଯାତ୍ରା ଗୋଟିଏ ଦିନରେ ସମ୍ଭବ ହୋଇନାହିଁ, ବର୍ଷ ବର୍ଷ ଧରି ଦେଶର ବିଭିନ୍ନ ରାଜ୍ୟକୁ ଯାତ୍ରା କରିବା ପରେ ସେ ଲୋକମାନଙ୍କୁ ଜାଣିଛନ୍ତି, ଦେଶକୁ ବୁଝିଛନ୍ତି, ସାଧାରଣ ଲୋକଙ୍କ ସମସ୍ୟା ବିଷୟରେ ଅବଗତ ଅଛନ୍ତି।
ଆମେରିକାର କମ୍ପାନୀ ‘ମର୍ନିଂ କନ୍ସଲ୍ଟ’ ଦ୍ୱାରା କରାଯାଇଥିବା ଏକ ସର୍ଭେ ବିଷୟରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଲୋକପ୍ରିୟତା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସମେତ ମୋଦି ବିଶ୍ୱର ୧୨ ପ୍ରମୁଖ ରାଷ୍ଟ୍ରମୁଖ୍ୟଙ୍କୁ ଅତିକ୍ରମ କରିଛନ୍ତି। ମୋଦି ଜନସାଧାରଣଙ୍କ ସହ ଏକ ଭାବପ୍ରବଣ ବନ୍ଧନ ବିକାଶ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଦେଶର କେତେକ ହାତଗଣତି ରାଜ୍ୟରେ ଏନଡିଏ (ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ) ସରକାର ରହିଥିଲା। ଆଜି ଯାହା ୧୬ଟି ରାଜ୍ୟକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ୧୩୦୦ରୁ ଅଧିକ ବିଧାୟକ ଏବଂ ୪୦୦ରୁ ଅଧିକ ଭାଜପା ଏମ୍‌ପି ଅଛନ୍ତି। ମୋଦି ଭାଜପାକୁ ନିର୍ବାଚନ ବିଜୟୀ ମେଶିନରେ ପରିଣତ କରିଛନ୍ତି।

Share