ଓକିଲାତି ଛାଡି ତୁଳସୀ ଏବେ ସିକ୍ୟୁରିଟି ଗାର୍ଡ

ନବରଙ୍ଗପୁର,୨୭।୫(ବି.ପ୍ର.): ଗୋଟିଏ ପଟେ ଅଭାବ ଅନଟନ। ତା’ ଉପରେ ଆସିଗଲା କରୋନା। ବାଧ୍ୟହୋଇ ଶେଷରେ ଓକିଲାତି ଛାଡ଼ି ଏକ ଘରୋଇ ସଂସ୍ଥାରେ ସିକ୍ୟୁରିଟି ଗାର୍ଡଭାବେ କାମ କରୁଛନ୍ତି ନବରଙ୍ଗପୁର ଜିଲା ତୋଟାସାହିର ତୁଳସୀ ଦେବୀ(୩୯)।
୨୦୧୭ରେ ତୁଳସୀ ଓକିଲାତି ପାଇଁ ଲାଇସେନ୍ସ ପାଇଲେ। ସରକାରୀ ଓକିଲ ଏନ୍‌. ଅହମ୍ମଦଙ୍କ ନିକଟରେ ଜୁନିୟରଭାବେ ରହି ସିଭିଲ କେସ୍‌କୁ ପ୍ରାକ୍ଟିସ କଲେ। ନବରଙ୍ଗପୁର ଜିଲା ବାର୍‌ କାଉନସିଲରେ ମଧ୍ୟ ଜଣେ ସଭ୍ୟା ଭାବେ ରହିଛନ୍ତି। କରୋନା ମହାମାରୀ ସମୟରେ କୋର୍ଟ କାର୍ଯ୍ୟ ଓ ବୃତ୍ତିକୁ ନେଇ ଆର୍ଥିକ ଅନଟନ ଦେଖାଗଲା। ଦୁଇ ପୁଅଙ୍କ ଦେଖାରଖା କରିବା ସହ ନିଜ ରୋଜଗାରକୁ ନେଇ ଚିନ୍ତାରେ ରହିଲେ ତୁଳସୀ। ଏହା ମଧ୍ୟରେ ନବରଙ୍ଗପୁର ଜିଲା ସଦର ମହକୁମା ଡାକ୍ତରଖାନାରେ ଏକ ଘରୋଇ ସଂସ୍ଥା ପକ୍ଷରୁ ସିକ୍ୟୁରିଟି ଗାର୍ଡ ପାଇଁ ପଦବୀ ବାହାରିଲା। ସେ ଏଥିପାଇଁ ଆବେଦନ କରିଥିବା ବେଳେ ଅକ୍ଟୋବର ୨୦୧୯ରେ ତୁଳସୀଙ୍କୁ ନିଯୁକ୍ତି ମିଳିଥିଲା। ଏବେ ସେ ୮ ହଜାର ଟଙ୍କା ଦରମା ପାଉଛନ୍ତି। ଜିଲା ସଦର ମହକୁମା ଡାକ୍ତରଖାନା ପରିସରରେ ଥିବା ମାଆ ଓ ଶିଶୁ ବିଭାଗରେ ଦୈନିକ ୮ ଘଣ୍ଟା ଡ୍ୟୁଟି କରୁଛନ୍ତି। ସୁଯୋଗ ମିଳିଲେ ପୁଣି ଥରେ ଓକିଲାତିକୁ ଫେରିବେ ବୋଲି ତୁଳସୀ କହିଛନ୍ତି।