ଶ୍ରୀନଗର,୧୧ା୧୧: : ଜମ୍ମୁ-କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଏବେ କିଶ୍ୱାଡ଼ ଜିଲାରେ ଉତ୍ତେଜନା ପ୍ରକାଶ ପାଇଛି। କିଶ୍ୱାଡ଼ର ମାରୱାହ ସ୍ଥିତ ଦେହରନା ଜଙ୍ଗଲ ଅଞ୍ଚଳରେ ଗୁଳିଫୁଟା ଶବ୍ଦ ଶୁଣାଯିବା ପରେ ସମଗ୍ର ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ଦଚ୍ଛନ-ମାରୱାହ ପାହାଡ଼ି ଅଞ୍ଚଳରୁ ଦୁଇଜଣ ସ୍ପେଶାଲ ପୋଲିସ ଅଫିସର (SPO) ନିଖୋଜ ହୋଇଯାଇଥିବା ବେଳେ ସେମାନଙ୍କୁ ଖୋଜିବା ପାଇଁ ସୁରକ୍ଷାବଳ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ନିଖୋଜ SPO ଦ୍ୱୟ ହେଲେ ରଶପାଲ କୁମାର (୪୦) ଏବଂ ବବି ଚନ୍ଦ (୫୪)।
ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁଇ ଜଣ SPO ସେନାର ଯବାନଙ୍କ ସହ ପାଟ୍ରୋଲିଂରେ ବାହାରି ‘ଧେରନା ପୋଷ୍ଟ’ ଆଡ଼କୁ ଯାଉଥିବା ସମୟରେ ସେମାନଙ୍କ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା। ଏହି ସମୟରେ ଅଞ୍ଚଳରେ ଗୁଳିଫୁଟା ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କ ମୋବାଇଲ ଫୋନ ଅନ୍ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାହା ବନ୍ଦ ହୋଇଯାଇଛି। ଘଟଣା ସମୟରେ ସ୍ଥାନୀୟ ଅଞ୍ଚଳରେ ମୋବାଇଲ ନେଟୱର୍କ ସେବା ବାଧାପ୍ରାପ୍ତ ଥିବା ଜଣାପଡ଼ିଛି। ପୋଲିସ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ମିଳିତ ଭାବେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୧୫ ତାରିଖରେ କିଶ୍ୱାଡ଼ର ତ୍ରିଗାମ ପୋଲିସ ପିକେଟରୁ SPO ବଶୀର ଅହମ୍ମଦ ନିଖୋଜ ହେବା ପରେ ଅକ୍ଟୋବର ୧୬ରେ ତାଙ୍କ ମୃତଦେହ ଜଙ୍ଗଲରୁ ମିଳିଥିଲା। ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ ଅକ୍ଟୋବର ୧୯ରେ ଦୁଇଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା।
ଏହା ପୂର୍ବରୁ କୁଲଗାମ ଜିଲାର ଅଖରାନ ମୀର ବଜାର ଅଞ୍ଚଳରେ CRPFର ୪୬ତମ ବାଟାଲିୟନ ଉପରେ ବାଇକରେ ଆସି ଆତଙ୍କବାଦୀମାନେ ଅନ୍ଧାଧୁନ୍ଧ ଗୁଳିଚାଳନା କରିଥିଲେ। ଏହି ଆକ୍ରମଣରେ ୩ ଜଣ CRPF ଯବାନ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ସାମ୍ନାକୁ ଆସିଥିବା CCTV ଫୁଟେଜ ଅନୁଯାୟୀ, ଆତଙ୍କବାଦୀମାନେ ମାତ୍ର ୧୫ ସେକେଣ୍ଡ ଭିତରେ ୩୦ ରାଉଣ୍ଡ ଗୁଳିଚାଳନା କରି ଫେରାର ହୋଇଯାଇଥିଲେ। ଏହି ଆକ୍ରମଣ ପଛରେ ଲଶ୍କର କମାଣ୍ଡର ଲତିଫ ଭଟ୍ଟର ହାତ ଥିବା ସନ୍ଦେହ କରାଯାଉଛି, ଯିଏ କି ଜମ୍ମୁ-କାଶ୍ମୀରରେ ସକ୍ରିୟ ଥିବା କିଛି ସ୍ଥାନୀୟ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ।