ନୂଆଦିଲ୍ଲୀ,୨୬।୧୦: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟ୍ର ଦାୟିତ୍ୱ ନେବାକୁ ନୂଆ ପିଢ଼ି ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍ରାଉଣ୍ଡର ଲାନ୍ସ କ୍ଲୁଜନର ଏପରି ମତ ଦେବା ସହ ଶୁବମନ ଗିଲଙ୍କ ନେତୃତ୍ୱ ଉପରେ ଭରସା ପ୍ରକାଶ କରିଛନ୍ତି। ଗିଲ ଆଗାମୀ ଅନେକ ବର୍ଷ ଧରି ଭାରତୀୟ ଦଳର ନେତୃତ୍ୱ ନେଇପାରିବେ ଏବଂ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭବିଷ୍ୟତର ସମ୍ଭାବ୍ୟ ସୁପରଷ୍ଟାର ବୋଲି ସେ କହିଛନ୍ତି। ଆବୁଧାବି ଟି-୧୦ ଲିଗ୍ରେ ଆରବିଆନ ଏସେସ ଦଳର ମୁଖ୍ୟ କୋଚ ଥିବା କ୍ଲୁଜନର ଏକ କାର୍ଯ୍ୟକ୍ରମ ଅବସରରେ ଏହି ମତ ରଖିଛନ୍ତି।
କ୍ଲୁଜନର କହିଛନ୍ତି, ଶୁବମନ ଗିଲ ବ୍ୟାଟିଂରେ ଜଣେ ପ୍ରକୃତ ସୁପରଷ୍ଟାର। ଅଧିନାୟକ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇବା ପାଇଁ ଉପଯୁକ୍ତ ବ୍ୟକ୍ତି। ତେବେ ଜଣେ ଅଧିନାୟକ ଓ ଜଣେ ପ୍ରମୁଖ ବ୍ୟାଟର ଭାବେ ନିଜ ଭୂମିକାକୁ ଅଲଗା ରଖିବା ଗିଲଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ। ଅନେକ ମହାନ ଅଧିନାୟକ ଏହି ଦୁଇଟି ଦାୟିତ୍ୱ ମଧ୍ୟରେ ସନ୍ତୁଳନ ରଖିବାରେ ସଫଳ ହୋଇଛନ୍ତି। ଗିଲଙ୍କୁ ମଧ୍ୟ ଏଥିପାଇଁ ଅନେକ ସୁଯୋଗ ମିଳିବ ଏବଂ ତାଙ୍କୁ ସହଯୋଗ କରିବା ପାଇଁ ଅଭିଜ୍ଞ ଲୋକ ମଧ୍ୟ ରହିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଭାରତୀୟ କ୍ରିକେଟ୍ର ଭବିଷ୍ୟତକୁ ନେଇ ଆଲୋଚନା କରି କ୍ଲୁଜନର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି। ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟ୍ରେ ଯେଉଁ ପରିବର୍ତ୍ତନ ଆସିବ, ସେଥିରେ ବୈଭବଙ୍କ ଭଳି ଯୁବ ଖେଳାଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରନ୍ତି। ଭାରତୀୟ କ୍ରିକେଟ୍ରେ ପ୍ରତିଭାର ଅଭାବ ନାହିଁ। ନୂଆ ପିଢ଼ିର ଖେଳାଳିମାନେ ପୂର୍ବତନ ମହାନ ଖେଳାଳିଙ୍କ ଐତିହ୍ୟକୁ ଆଗକୁ ନେବାର କ୍ଷମତା ରଖନ୍ତି।
ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ମହାନ ଖେଳାଳିଙ୍କ ଅବସର ପରେ ଭାରତୀୟ କ୍ରିକେଟ୍ରେ ଏକ ବଡ଼ ଶୂନ୍ୟତା ସୃଷ୍ଟି ହେବା ସ୍ବାଭାବିକ। କିନ୍ତୁ ଏହି ପରିବର୍ତ୍ତନକୁ ନେଇ ଅତ୍ୟଧିକ ଚିନ୍ତିତ ହେବା ଉଚିତ ନୁହେଁ ବୋଲି କ୍ଲୁଜନର କହିଛନ୍ତି। ସେ ଉଦାହରଣ ଦେଇ କହିଛନ୍ତି ଯେ, ଏକ ସମୟରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ଅସମ୍ଭବ ବୋଲି ଅନେକେ ଭାବୁଥିଲେ। କିନ୍ତୁ ଏବେ ଖେଳାଳିମାନେ ସେହି ରେକର୍ଡଗୁଡ଼ିକୁ ଚ୍ୟାଲେଞ୍ଜ କରୁଛନ୍ତି। କ୍ରିକେଟ୍ରେ ଖେଳାଳି ଆସନ୍ତି ଓ ଯାଆନ୍ତି, କିନ୍ତୁ ଖେଳ ଜାରି ରହେ। ଅନେକ ସମୟରେ ନୂଆ ପିଢ଼ି ଖେଳକୁ ଆହୁରି ଉଚ୍ଚ ସ୍ତରକୁ ନେଇଯାଏ।
କ୍ଲୁଜନରଙ୍କ ମତରେ, ଦେଶର ମହାନ ଖେଳାଳିମାନେ ଅବସର ନେବା ନିଶ୍ଚିତ ଭାବେ ଏକ ଭାବପ୍ରବଣ ମୁହୂର୍ତ୍ତ। କିନ୍ତୁ ଯୁବ, ଅଧିକ ଫିଟ ଓ ଦ୍ରୁତ ଖେଳାଳିମାନେ ସବୁବେଳେ ନିଜ ସୁଯୋଗକୁ ଅପେକ୍ଷା କରିଥାନ୍ତି। ତେଣୁ ଭାରତୀୟ କ୍ରିକେଟକୁ ନିଜର ପରବର୍ତ୍ତୀ ପିଢ଼ିକୁ ଗ୍ରହଣ କରିବାରେ ପଛଘୁଞ୍ଚା ଦେବା ଉଚିତ ନୁହେଁ।