Categories: ଖେଳ

ଆଇପିଏଲ ପରେ ଅନ୍ଧାରରେ ଟି୨୦ ବିଶ୍ୱକପ୍‌ର ଭବିଷ୍ୟତ

ନୂଆଦିଲ୍ଲୀ,୪।୫ : ଚଳିତ ବର୍ଷ ସେପ୍ଟେମ୍ବରରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଭାରତ ପରିବର୍ତ୍ତେ ୟୁଏଇଠାରେ ଖେଳାଯାଇପାରେ। କାରଣ ଏହି ଟି୨୦ ମହାକୁମ୍ଭରେ ଅଂଶଗ୍ରହଣ କରିବାକୁ ଥିବା ୧୬ଟି ଦଳ ଭାରତ ଆସିବାକୁ ରାଜି ହେବେ ନାହିଁ। ସେହି ସମୟରେ ଭାରତରେ କୋଭିଡ୍‌-୧୯ର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ତେବେ ଆସନ୍ତା ମାସରେ ଏ ନେଇ ଅନ୍ତିମ ନିଷ୍ପତ୍ତି ନିଆଯିବ।

ଆଇପିଏଲ ଆରମ୍ଭ ହେବାର ୪ ସପ୍ତାହରେ ସ୍ଥଗିତ କରିବାକୁ ପଡ଼ିଛି। ଗତ ୭୦ ବର୍ଷରେ ସବୁଠୁ ବଡ଼ ସ୍ବାସ୍ଥ୍ୟ ସଙ୍କଟ ଦେଇ କରୁଥିବାବେଳେ ବିଶ୍ୱ ସ୍ତରୀୟ ଇଭେଣ୍ଟ ଆୟୋଜନ କରିବା ସୁରକ୍ଷିତ ନୁହେଁ। ପରିସ୍ଥିତି ନିୟନ୍ତ୍ରଣକୁ ନ ଆସିବା ପର୍ଯ୍ୟନ୍ତ କୌଣସି ଦଳ ଭାରତ ଗସ୍ତ କରିବେ ନାହିଁ। ଏହି ଇଭେଣ୍ଟ ୟୁଏଇକୁ ସ୍ଥାନାନ୍ତର ହେଲେ ମଧ୍ୟ ଆୟୋଜନ ଅଧିକାର ବିସିସିଆଇ ନିକଟରେ ରହିବ ବୋଲି ଜଣେ ବିସିସିଆଇ ଅଧିକାରୀ ନାମ ନ କହିବା ସର୍ତ୍ତରେ କହିଛନ୍ତି।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଚଳିତ ବର୍ଷ ସେପ୍ଟେମ୍ବରରେ କରୋନର ତୃତୀୟ ଲହର ଆସିପାରେ। ଦେଶରେ କୋଭିଡ୍‌-୧୯ ଯୋଗୁ ସୃଷ୍ଟି ହୋଇଛି ଅତ୍ୟନ୍ତ ଭୟଙ୍କର ପରିସ୍ଥିତି। ପ୍ରତ୍ୟେକ ଦିନ ୩ ଲକ୍ଷରୁ ଊର୍ଦ୍ଧ୍ୱ ନୂଆ କରୋନା ଅକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଭଳି ସ୍ଥିତିରେ ଅନ୍ୟ ବୋର୍ଡ ଓ ଆଇସିସି ଟି୨୦ ବିଶ୍ୱକପ୍‌ ଆୟୋଜନ କରିବା ଭଳି ରିସ୍କ ନେବ ନାହିଁ।

Share