ଅଶ୍ୱିନୀ କୁମାରଙ୍କ ଇସ୍ତଫା ପରେ ତେଜିଲା ରାଜନୀତି: କଂଗ୍ରେସ ନେତୃତ୍ୱ ଉପରେ ବର୍ଷିଲେ ଜି-୨୩ ନେତା

ନୂଆଦିଲ୍ଲୀ,୧୬।୨: ପଞ୍ଜାବରେ ବିଧାନସଭା ନିର୍ବାଚନର ୫ଦିନ ପୂର୍ବରୁ ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ତଥା ବରିଷ୍ଠ ନେତା ଅଶ୍ୱିନୀ କୁମାର ଦଳ ଛାଡିବା ପରେ କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି। ଦୀର୍ଘ ୪୬ ବର୍ଷ ପରେ ବରିଷ୍ଠ ନେତା ଦଳ ଛାଡ଼ିବା ନେଇ କଂଗ୍ରେସ ହାଇକମାଣ୍ଡ ଉପରେ ବର୍ଷିଛନ୍ତି ଜି-୨୩ ନେତା। ଆନନ୍ଦ ଶର୍ମା, ଗୁଲାମ ନବୀ ଆଜାଦ ଓ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କ ସମେତ ବହୁ ବରିଷ୍ଠ ନେତା ଅଶ୍ୱିନୀ କୁମାର କଂଗ୍ରେସର ହାତ ଛାଡ଼ିବା ପରେ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ କଂଗ୍ରେସ ଦଳ ପାଇଁ ଏହା ଭଲ ନୁହେଁ ବୋଲି ସେମାନେ କହିଛନ୍ତି। ତେବେ କଂଗ୍ରେସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଆସିନାହିଁ। ଗୁଲାମ ନବୀ ଆଜାଦ କହିଛନ୍ତି, ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି ଏବଂ ଏହା ଚିନ୍ତାର ବିଷୟ। ରାଜ୍ୟ ସଭାରେ କଂଗ୍ରେସର ଡେପୁଟି ନେତା ଆନନ୍ଦ ଶର୍ମା, ଲୋକ ସଭା ଏମ୍‌ପି ମନୀଷ ତିୱାରୀ କହିଛନ୍ତି, ଏହି ସମୟରେ ଦଳକୁ ଅନୁଧ୍ୟାନ କରିବା ଆବଶ୍ୟକ ରହିଛି। କେବଳ ସେତିକି ନୁହେଁ ଯଦି ଦଳରେ ଏଭଳି ସ୍ଥିତି ଲାଗି ରୁହେ ତେବେ ବିଧାନସଭା ନିର୍ବାଚନରେ ଦଳ ଏକ ବଡ଼ କ୍ଷତି ସହିବା ସହ ବଡ଼ ପରିବର୍ତ୍ତନ ହୋଇପାରେ ବୋଲି ଜି-୨୩ ନେତା କହିଛନ୍ତି।

Share