ଡେଙ୍ଗୁ ରୋଗୀ ଚିହ୍ନଟ ପରେ ଗାଁରେ ପହଞ୍ଚିଲା ବିଶେଷଜ୍ଞ ଟିମ୍‌

ବ୍ରହ୍ମପୁର ଅଫିସ,୧୫।୭: ଗଞ୍ଜାମ ଜିଲାରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛି। ଡେଙ୍ଗୁ ରୋଗରେ ଆକ୍ରାନ୍ତ ଜଣଙ୍କ ମହିଳା ବୋଲି ଜଣାପଡିଛି। ସେ ଭୁବନେଶ୍ୱରରେ ପରିବାର ସହ ରହୁଥିବା ବେଳେ ତାଙ୍କୁ ଜ୍ୱର ହୋଇଥିଲା। ପରେ ସେ ଗଞ୍ଜାମ ଘରକୁ ଗତ ୧୨ ତାରିଖରେ ଆସିଥିଲେ। ହେଲେ ଜ୍ୱର ନ କମିବାରୁ ଗତ ୧୪ ତାରିଖରେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ନମୁନା ସଂଗ୍ରହ କରି ଡେଙ୍ଗୁ ପରୀକ୍ଷା ପାଇଁ କରାଯାଇଥିଲା। ଗୁରୁବାର ରାତିରେ ମହିଳାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡା. ଉମାଶଙ୍କର ମିଶ୍ର ଶୁକ୍ରବାର ସୂଚନା ଦେଇଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଶୁକ୍ରବାର ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଗଞ୍ଜାମ ବ୍ଲକର ଏକ ସ୍ବାସ୍ଥ୍ୟ ଟିମ୍‌ ଡେଙ୍ଗୁ ଆକ୍ରାନ୍ତଙ୍କ ଗାଁକୁ ଯାଇ ସେଠାକାର ସ୍ଥିତି ଯାଞ୍ଚ କରିଛନ୍ତି। ଏପରି କି ଜନସାଧାରଣଙ୍କୁ ଡେଙ୍ଗୁ ରୋଗର ନିରାକରଣ ଉପରେ ସଚେତନ କରାଇଥିଲେ। ସେହିପରି ଖାଲୁଆ ସ୍ଥାନଗୁଡିକରେ ଏଡିସ୍‌ ମଶାର ଲାର୍ଭା ଅଛି କି ନାହିଁ ପରୀକ୍ଷା କରିଥିଲେ। ନାଳ ଓ ଖାଲୁଆ ଅଞ୍ଚଳରେ ଜମି ରହିଥିବା ପାଣିରେ ମଶା ନିପାତ ପାଇଁ ସ୍ପ୍ରେ କରିବାକୁ ସେଠାକାର ସ୍ବାସ୍ଥ୍ୟ କର୍ମୀଙ୍କୁ ଟିମ୍‌ ପରାମର୍ଶ ଦେଇଥିଲେ। ସୂଚନା ଯୋଗ୍ୟ, ୨୦୨୧ରେ ଜିଲାରେ ୩୩୩ ଜଣ ଡେଙ୍ଗୁ ଆକ୍ରାନ୍ତ ହୋଇଥିଲେ।